ବୁରାଡୀ ୨୨।୧୨: ଦିଲ୍ଲୀ ବୁରାଡୀ ଅଞ୍ଚଳରେ ଅବୈଧ ରୂପେ ଚାଲିଥିବା ବାଣ କାରଖାନାରେ ରବିବାର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଦମକଳ ବିଭାଗ ଏହି ସୂଚନା ଦେଇଛି। ଡିଏଫଏସ୍ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୪ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ନିଆଁ ଲିଭାଇବାକୁ ଉଦ୍ୟମ କରାଯିବା ବେଳେ ଅଗ୍ନିସମ ବିଭାଗର ଜଣେ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
ଗର୍ଗ ବୟାନରେ କହିଛନ୍ତି ଯେ ବୁରାଡୀ ଅଞ୍ଚଳର ପ୍ରଧାନ ଏନକ୍ଲେଭସ୍ଥିତ ଏକ ଘରର ତଳ ମହଲାରେ ଅପରାହ୍ନ ପ୍ରାୟ ୪ଟା ୨୩ ମିନିଟରେ ନିଆଁ ଲାଗିଯାଇଥିଲା। ପରିସରରେ ଏକ ଅବୈଧ ବାଣ କାରଖାନା ଥିଲା। ଡିଏଫଏସଙ୍କ ଅନୁସାରେ ବିସ୍ଫୋରଣ ହେବାରୁ ବାଣ କାରଖାନାରେ ମଧ୍ୟ ନିଆଁ ଲାଗିଯାଇଥିଲା। ଫଳରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସୂଚନା ମିଳିବା ମାତ୍ରେ ଘଟଣା ସ୍ଥଳକୁ ୫ଟି ଦମକଳ ଗାଡି ପଠାଯାଇଥିଲା।
ଏହି ଦୁର୍ଘଟଣାରେ ଆହତମାନଙ୍କ ଚିହ୍ନଟ ହୋଇଛି। ଏଥିରେ ୨୭ ବର୍ଷ ବୟଷ୍କ ହିମାଂସୁ ୧୦୦ ପ୍ରତିଶତ ପୋଡି ଯାଇଥିବା ବେଳେ ୨୪ ବର୍ଷ ବୟଷ୍କ ଆନନ୍ଦ ଓ ୨୨ ବର୍ଷ ବୟଷ୍କ ପ୍ରକାଶ ୨୫ ପ୍ରତିଶତ ପୋଡି ହୋଇଯାଇଛନ୍ତି। ତେବେ ୨୨ ବର୍ଷ ବୟଷ୍କ ବିଜୟ ପାଣ୍ଡେଙ୍କ ଶରୀରର ୪୦ ପ୍ରତିଶତ ପୋଡି ଯାଇଛି। ଆହତମାନଙ୍କୁ ତତ୍କାଳ ବୁରାଡୀ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଗୁରୁତର ଆହତ ୩ ଜଣଙ୍କୁ ଏଲଏନଜିପି ହସ୍ପିଟାଲକୁ ପଠାଇ ଦିଆଯାଇଛି।