ନୂଆଦିଲ୍ଲୀ ୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତର ଅମୀର ଶେଖ ମେଶଲ ଅଲ-ଅହମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ କୁଏତକୁ ଦୁଇ ଦିବସୀୟ ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ତେବେ ଫେରିବା ପୂର୍ବରୁ କୁଏତରେ ପ୍ରଧାନମନ୍ତ୍ରୀ ମୋଦି ଅମୀରଙ୍କ ସହ ବୈଠକରେ ବ୍ୟାପାର, ନିବେଶ, ଉର୍ଜା, ରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତି ଆଦି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ବଢାଇବା ପାଇଁ ଆଲୋଚନା କରିଛନ୍ତି।
ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କୁଏତ ସମକକ୍ଷ ଶେଖ ଅହମଦ ଅଲ-ଅବଦୁଲ୍ଲା ଅଲ-ଅହମଦ ଅଲ-ସବାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରାର ଦ୍ୱିତୀୟ ଦିନ ଭାରତ ଓ କୁଏତ ନିଜ ସମ୍ପର୍କକୁ ରଣନୈତିକ ଭାଗିଦାରୀ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସହମତ ହୋଇଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁସାରେ ପ୍ରତିନିଧିମଣ୍ଡଳ ସ୍ତରୀୟ ବୈଠକରେ ଉଭୟ ଦେଶ, ରକ୍ଷା, ଖେଳ ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ବଢାଇବା ପାଇଁ ୪ଟି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
ତେବେ ଏହି ରାଜିନାମା ସ୍ୱାକ୍ଷର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ରାଜମହଲ ବାୟନ ପ୍ୟାଲେସରେ ଭବ୍ୟ ସ୍ୱାଗତ କରାଯାଇଥିଲା ଓ ସେଠାରେ ତାଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ ମୁବାରକ ଅଲ-କବିର’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା। ବିଦେଶ ମନ୍ତ୍ରାଳୟ ଅନୁସାରେ ପିଏମ ମୋଦି ଓ କୁଏତ ଅମୀରଙ୍କ ମଧ୍ୟରେ ବୈଠକ କାଳରେ ଉଭୟ ନେତା ଆଗାମୀ ସମୟରେ ଭାରତ ଓ କୁଏତ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶାପୋଷଣ କରିଛନ୍ତି।