ମୁମ୍ବାଇ୨୨।୧୨: ରିଲାଏନ୍ସ ଫାଉଣ୍ଡେସନ ଚେୟାରପର୍ସନ ନୀତା ଅମ୍ବାନୀ ୧୫ ଓ ୧୬ ଫେବୃଆରୀ ୨୦୨୫ରେ ବୋଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିଦ୍ଧ ହାଭାର୍ଡ ଇଣ୍ଡିଆ କନଫରେନ୍ସ (ଆଇସିଏଚ୍)ରେ ଭାରତର ବୈଶ୍ୱିକ ଶକ୍ତି ଓ କ୍ଷମତା ଉପରେ ନିଜର ବିଚାର ବ୍ୟକ୍ତ କରିବେ। ଆଇସିଏଚ୍ ପକ୍ଷରୁ ରବିବାର ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି। ଏହି ସମ୍ମିଳନୀର ଚଳିତଥର ଥିମ ‘ଫ୍ରମ ଇଣ୍ଡିଆ ଟୁ ଦି ୱାର୍ଲଡ’ ରଖାଯାଇଛି।
ନୀତା ଅମ୍ବାନୀ ତାଙ୍କ ସାମାଜିକ କାର୍ଯ୍ୟ ମାଧ୍ୟମରେ ୮ କୋଟିରୁ ଅଧିକ ଲୋକଙ୍କ ଜୀବନକୁ ସକରାତ୍ମକ ରୂପେ ପ୍ରଭାବିତ କରିପାରିଛନ୍ତି। ତାଙ୍କର ଉପଲବ୍ଧି ମଧ୍ୟରେ ୪ ଦଶକ ପରେ ଭାରତରେ ଅଲିମ୍ପିକ କମିଟି (ଓଆଇସି) ଅଧିବେଶନର ସଞ୍ଜୋଯନା ଓ ୨୦୩୬ ଅଲିମ୍ପିକ ନିମନ୍ତେ ଭାରତର ଦାବିଦାରୀକୁ ମଜଭୁତ କରିବା ମଧ୍ୟ ରହିଛି। ତାଙ୍କର ଏହି ଉପଲବ୍ଧି ଭାରତର ବୈଶ୍ୱିକ ପ୍ରଭାବ ଓ ନେତୃତ୍ୱ କ୍ଷମତାର ପ୍ରତୀକ। ଆୟୋଜକଙ୍କ ଅନୁସାରେ ଏହି ସମ୍ମିଳନୀରେ ୮୦ରୁ ଅଧିକ ବକ୍ତା ଯୋଗ ଦେବେ।
ନୀତା ଅମ୍ବାନୀଙ୍କ ସହିତ ଏକ ଫାରସାଇଡ ଚାଟରେ ଭାରତର ବୈଶ୍ୱିକ ଭୂମିକା ଓ ଦୃଷ୍ଟିକୋଣ ଉପରେ ମଧ୍ୟ ଚର୍ଚ୍ଚା ହେବ। ଏହା ଛଡା ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସମାବେଶନ ଉପରେ ପଲିସି ହକାଥନ ଓ ଭାରତୀୟ ଉଦ୍ୟମୀଙ୍କ ଲାଗି ଷ୍ଟାର୍ଟଅପ ପିଚ୍ ପ୍ରତିଯୋଗୀତାର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟ ପ୍ରମୁଖ ବକ୍ତାଙ୍କ ମଧ୍ୟରେ ଇଣ୍ଡିଆନ ସ୍କୁଲ ଅଫ ବିଜନେସର ସଂସ୍ଥାପକ ତଥା ଡିନ ପ୍ରମଥରାଜ ସିହ୍ନା, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସିଇଓ ଅନିଶ ଚୌହାନ, ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଓ ଅଞ୍ଜଳି ବଂସଲ ମଧ୍ୟ ଯୋଗଦେବେ।
କନଫରେନ୍ସର ସହ ଅଧ୍ୟକ୍ଷ ଆୟୁଷ ଶୁକ୍ଳା କହିଛନ୍ତି ଯେ ‘ଏହି ମଞ୍ଚ ଭାରତର ବୈଷୟିକ ପ୍ରଗତି, ସାଂସ୍କୃତିକ ବିବିଧତା ଓ ସାମୂଦାୟିକ ଦୃଷ୍ଟିକୋଣକୁ ବୈଶ୍ୱିକ ସ୍ତରରେ ପ୍ରଦର୍ଶିତ କରିବାର ଅବସର ପ୍ରଦାନ କରୁଛି’। ହାଭାର୍ଡ ଇଣ୍ଡିଆ କନଫରେନ୍ସ ଆମେରିକାରେ ଭାରତ ଆଧାରିତ ସବୁଠୁ ପ୍ରଭାବଶାଳୀ ଛାତ୍ର ସଞ୍ଚାଳିତ ସମ୍ମିଳନୀ ମଧ୍ୟରୁ ଅନ୍ୟତମ।