ପ୍ରଭାବ ପକାଇବ ସମ୍ଭାଵ୍ୟ ପଶ୍ଚିମା ଝଡ଼, ଫସଲ ନଷ୍ଟ ଆଶଙ୍କାରେ ଚିନ୍ତାରେ ଚାଷୀ

Published By : Prameya-News7 Bureau | December 27, 2024 IST

ଝାରସୁଗୁଡା ୨୭/୧୨: ସମ୍ଭାଵ୍ୟ ପଶ୍ଚିମା ଝଡ଼ ଯୋଗୁଁ ଆସନ୍ତା ୨୮ ଏବଂ ୨୯ ତାରିଖ ପଶ୍ଚିମ ଓଡିଶାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ଅଦିନିଆ ବର୍ଷା ଚାଷୀ କୂଳଙ୍କ ପାଇଁ ବିପଦ । ଝାରସୁଗୁଡା ଜିଲ୍ଲାରେ ଏବେ ଅନେକ ସ୍ଥାନରେ ବିଲ, ଖଳା ଏବଂ ଗାଁ ଦାଣ୍ଡ ଚାଷୀମାନେ ଧାନ ଅମଳ କରି ରଖିଛନ୍ତି । 

ଅନେକ ଚାଷୀ ଏବେ ଧାନ ଅମଳ କରୁଛନ୍ତି । ବର୍ଷା ହେଲେ ସମସ୍ତ ଧାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଚାଷୀ ଅମଳ କରି ଖଳା ଅବା ଗାଁ ଦାଣ୍ଡରେ ରଖିଥିବା ଧାନକୁ ତାରପୋଲିନରେ ଢାଙ୍କିବା ସହ ଅଖା ବସ୍ତାରେ ଭରି ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛି । ପ୍ରଥମେ ବର୍ଷା ଅଭାବ ଯୋଗୁଁ ମରୁଡିର ସମ୍ମୁଖୀନ ହୋଇଥିବା ଚାଷୀ ଏବେ ଅଦିନିଆ ବର୍ଷା ଯୋଗୁଁ ସର୍ବସ୍ୱ ହରାଇବାକୁ ବସିଛି l 

ଏହିପରି ପରିସ୍ଥିତିରେ ଚାଷୀ କିପରି ନିଜ ଧାନ ସୁରକ୍ଷିତ ରଖିବ ଏବଂ ଏଫକ୍ୟୁ ମାନର ଧାନ ମଣ୍ଡିରେ ବିକ୍ରି କରିବ ସେନେଇ ଚିନ୍ତାରେ ରହିଛି । ରାଜ୍ୟ ଚାଷୀକୂୂଳ ହତାଶ । ଦିନେ ଅନ୍ତରରେ ଦୁଇଥର ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି ପୁରା ଫସଲ । ଏନେଇ ଚାଷୀ ପାଣି ଜମିରେ ଉଜୁଡା ଫସଲକୁ ସାଉଣ୍ଟୁଥିବା ବେଳେ ପୁଣି ଏକ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । 

ସୂଚନାଥାଉକି, ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମାଝଡ ପ୍ରଭାବରେ ଏଭଳି ବର୍ଷାର ଆକଳନ କରାଯାଇଛି  । ୨୮ ଓ ୨୯ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.