ଭୁବନେଶ୍ୱର ୦୪।୦୧ : ଆସନ୍ତା ୪ ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ । ଆଗାମୀ ତିନି ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ସେଲସିୟସ୍ ରହିବ । ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ। ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ତଳେ ରହିବ । ରାଜ୍ୟରେ ଶୀତକୁ ନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ତେବେ ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଶନିବାର ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୭ ଡିଗ୍ରୀ, ଝାରସୁଗୁଡ଼ାରେ ୮ ଡିଗ୍ରୀ, ଅନୁଗୁଳରେ ୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୦, କୋରାପୁଟ, ନବରଙ୍ଗପୁର, ବାରିପଦା ଓ ବାଲେଶ୍ୱରରେ ୧୧ ଡିଗ୍ରୀ ରହିବ ବୋଲି ବିଭାଗ ଆକଳନ କରିଛି । ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ । ପାଣିପାଗ ବିଭାଗ ପୁଣି ଆକଳନ କରିଛି, ସୋମବାରଠାରୁ ରାତି ତାପମାତ୍ରା ସାମାନ୍ୟ ବଢ଼ିବ । କିଛି ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ଗୁରୁବାର ପାରଦ ସବୁଠୁ କମ୍ ବା ୭.୨ଡିଗ୍ରୀ ଥିଲା।