ଆହୁରି ୫ ଦିନ ରହିବ ଥଣ୍ଡାର ପ୍ରକୋପ, ଅସ୍ୱାଭାବିକ କମିଲା ରାତି ତାପମାତ୍ରା

Published By : Prameya-News7 Bureau | January 03, 2025 IST

ଭୁବନେଶ୍ୱର,୦୩/୦୧: ଥଣ୍ଡା ବଢ଼ିଛି ସାରା ରାଜ୍ୟରେ । ରାତି ତାପମାତ୍ରା ସବୁଠି କମିଛି । ଏମିତିକି ୧ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି, ପୂର୍ବ ରାତି ତୁଳନାରେ । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । 

ମାଡ଼ି ଆସିଛି ଥଣ୍ଡା । ପ୍ରାୟତଃ ରାତିର ତାପମାତ୍ରା ଅସ୍ୱାଭାବିକ ଭାବେ କମିଛି । ରାଉରକେଲା ପଛକୁ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡ଼ି ୯.୫, ସୁନ୍ଦରଗଡ଼ ୯.୭, ଅନୁଗୁଳ ୧୦, ସୋନପୁର ୧୦ ଡିଗ୍ରୀ ଥିଲା ବୁଧବାର ରାତିରେ । ଭବାନୀପାଟଣା ଓ ବଲାଙ୍ଗିରରେ ୧୧ ଡିଗ୍ରୀ, ବାରିପଦା, ଢେଙ୍କାନାଳ ଓ ଭଦ୍ରକରେ ୧୨ ଡିଗ୍ରୀ, ନବରଙ୍ଗପୁର ୧୨.୫, ତାଳଚେର ୧୨.୪, ହୀରାକୁଦ ୧୨.୬, ସମ୍ବଲପୁର ୧୨.୪, ବାଲେଶ୍ୱର ୧୨.୪, କୋରାପୁଟ ୧୨.୮, ଟିଟିଲାଗଡ଼ ୧୩, ରାୟଗଡ଼ା ୧୩, କଟକ ୧୩, ଭୁବନେଶ୍ୱର ୧୩.୨, ନୂଆପଡ଼ା ୧୩.୪, ଚାନ୍ଦବାଲି ୧୩.୮, ଖୋର୍ଦ୍ଧା ୧୪ ଡିଗ୍ରୀ ସେଲସିୟସ୍‌ ଥିଲା । 

ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତେବେ ୫ ତାରିଖରୁ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବ । 

ଭୁବନେଶ୍ୱରରେ ରାତି ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୨ ଡିଗ୍ରୀ, କେନ୍ଦୁଝରରେ ୨.୯ ଡିଗ୍ରୀ କମିଛି । ଅନେକ ସ୍ଥାନରେ ୧ରୁ ଦେଢ଼ ଡିଗ୍ରୀ କମିଛି ୨୪ ଘଣ୍ଟାରେ । ଶୁକ୍ରବାର ସକାଳେ ଅନୁଗୁଳ, କନ୍ଧମାଳ, ଢେଙ୍କାନାଳରେ ଘନ କୁହୁଡ଼ି ହୋଇପାରେ । ଶୁକ୍ରବାର ରାତି ଓ ଶନିବାର ସକାଳେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼ ଓ ସୁନ୍ଦରଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.