ଶିମଲା ୧।୧: ଉତ୍ତରାଖଣ୍ଡ ସମେତ ସାରା ଦେଶରେ ଏବେ ଥଣ୍ଡାର ପ୍ରକୋପ ବଢିବା ଆରମ୍ଭ ହୋଇଛି। ପର୍ବତ୍ୟାଞ୍ଚଳରେ ହୀମପାତ ରେକର୍ଡ ଭାଙ୍ଗିବାକୁ ଯାଉଥିବା ବେଳେ ସମତଳ ଅଞ୍ଚଳରେ ଶୀତ ଲହର ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି। ଏଥିରେ ପାଣିପାଗ ବିଜ୍ଞାନୀମାନେ ଆଗାମୀ ଦିନମାନଙ୍କରେ ଥଣ୍ଡା ଆହୁରି ବଢିବ ବୋଲି ସତର୍କ କରିଛନ୍ତି। ଚଳିତବର୍ଷ ଥଣ୍ଡା ବଢିବା ଓ ପାଣିପାଗରେ ହୋଇଥିବା ଅସ୍ୱଭାବିକ ପରିବର୍ତ୍ତନ ପଛରେ ‘ଲା ନିନା’ ମୁଖ୍ୟକାରଣ ବୋଲି ବୈଜ୍ଞାନିକ କହିଛନ୍ତି ।
ଲା ନିନା ଯୋଗୁ ଏବେ ନା କେବଳ ହୀମପାତ ଓ ବର୍ଷା ବୃଦ୍ଧି ହେବ ଏହାର ପ୍ରଭାବ ଭାରତର ଆଗାମୀ ମୌସୁମୀରେ ବି ଦେଖାଯିବ। ଚଳିତବର୍ଷ ହିମାଳୟରେ ହେବାକୁ ଥିବା ବରଫପାତ ଗତ ଅନେକ ବର୍ଷର ରେକର୍ଡ ଭାଙ୍ଗିପାରେ। ଜାନୁୟାରୀରେ ଥଣ୍ଡାର ପ୍ରକୋପ ଆହୁରି ବଢିବ ଫଳରେ ପାହାଡିଆ ଅଞ୍ଚଳରେ ବ୍ୟାପକ ହୀମପାତ ଦେଖିବାକୁ ମିଳିବ। ଯେଉଁ ସ୍ଥାନମାନଙ୍କରେ ଅନେକ ବର୍ଷ ହେଲା ବରଫ ପଡିବା ବନ୍ଦ ହୋଇଯାଇଥିଲା ଚଳିତ ବର୍ଷ ସେହି ସବୁ ସ୍ଥାନରେ ବି ବରଫପାତ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।
ଚଳିତବର୍ଷ ଶୀତ ରେକର୍ଡ ଭାଙ୍ଗିବ ବୋଲି ଗତ ଡିସେମ୍ବର ମାସରୁ ଜଣାପଡିସାରିଥିଲା ବୋଲି ନୈନିତାଲସ୍ଥିତ ଆର୍ଯ୍ୟଭଟ୍ଟ ବିଜ୍ଞାନ ଗବେଷଣା ସଂସ୍ଥାନର ବୈଜ୍ଞାନିକ ଡା. ନରେନ୍ଦ୍ର କହିଛନ୍ତି। ଲା ନିନା ଯୋଗୁ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଉପରେ ଗଭୀର ପ୍ରଭାବ ପଡିଛି, ଏଣୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ହୀମପାତ ଗତ ବର୍ଷମାନଙ୍କର ରେକର୍ଡ ଭାଙ୍ଗିଛି। ପ୍ରଶାନ୍ତ ମହାସାଗର ପୃଷ୍ଠର ତାପମାତ୍ରା ହ୍ରାସର କାରଣ ହେଉଛି ଲା ନିନା। ଏହି ଘଟଣାର ପ୍ରଭାବ ପବନ, ଚାପ ଓ ବର୍ଷା ଉପରେ ପଡିଥାଏ। ଏଥିରେ ବିଶ୍ୱ ପାଣିପାଗ ସଙ୍ଗଠନ ୨୦୨୫ରେ ଲା ନିନାର ପ୍ରବଳତା ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି କହିଛନ୍ତି।