୧୯୦୧ ପରେ ଭାରତରେ ୨୦୨୪ ଥିଲା ସବୁଠୁ ଉଷ୍ମ ବର୍ଷ : IMD

Published By : Prameya-News7 Bureau | January 01, 2025 IST

ନୂଆଦିଲ୍ଲୀ ୧।୧:  ବର୍ଷ ୨୦୨୪ ଭାରତରେ ୧୯୦୧ ମସିହା ପରେ ସବୁଠୁ ଉଷ୍ମ ବର୍ଷ ଥିଲା, ଯେଉଁଥିରେ ହାରାହାରି ନ୍ୟୁନତମ ତାପମାତ୍ରା ଦୀର୍ଘାବଧିରେ ୦.୯୦ ଡିଗ୍ରି ସେଲସିୟସ୍ ଅଧିକ ଥିଲା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଡା.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୨୦୨୪ରେ ପୁରା ଭାରତରେ ବାର୍ଷିକ ହାରାହାରି ଭୂପୃଷ୍ଟ  ଓ ବାୟୁ ତାପମାତ୍ରା ଦୀର୍ଘକାଳୀକ ଅବଧି (୧୯୦୧-୨୦୨୦)ରୁ ୦.୬୫ଡିଗ୍ରି ସେଲସିୟସ ଅଧିକ ଥିଲା। 

ଏଣୁ ୧୯୦୧ ପରେ ୨୦୨୪କୁ ଦେଶର ସବୁଠୁ ଉଷ୍ମ ବର୍ଷ ଭାବେ ରେକର୍ଡ କରାଯାଇଛି। ଏହି ବର୍ଷ ୨୦୧୬ର ରେକର୍ଡ ତାପମାତ୍ରାକୁ ମଧ୍ୟ ପଛରେ ପକାଇ ଦେଇଛି। ୨୦୧୬ରେ ସର୍ବାଧିକ ଭୂପୃଷ୍ଠ ଓ ବାୟୁ ତାପମାତ୍ରା ୦.୫୪ ଡିଗ୍ରି ସେଲସିୟସ୍ ଅଧିକ ରେକର୍ଡ ହୋଇଥିଲା। ୟୁରୋପୀୟ ଜଳବାୟୁ ଏଜେନ୍ସୀ ‘କୋପରନିକସ’ ଅନୁସାରେ ୨୦୨୪ ସମ୍ଭବତଃ ଏପର୍ଯ୍ୟନ୍ତର ସବୁଠୁ ଉତପ୍ତ ବର୍ଷ ହୋଇପାରେ ଓ ଏହା ଏପରି ପ୍ରଥମ ବର୍ଷ ହେବ ଯେତେବେଳେ ହାରାହାରି ବୈଶ୍ୱିକ ତାପମାତ୍ରା ପୂର୍ବ ଔଦ୍ୟୋଗିକ ସ୍ତରରୁ ୧.୫ଡିଗ୍ରି ସେଲସିୟସ୍ ଅଧିକ ହୋଇଛି। 

ତେବେ ୨୦୨୫ର ଆରମ୍ଭ ଦେଶରେ ଭୀଷଣ ଥଣ୍ଡା ସହ ହୋଇଛି। ଆଇଏମଡିଙ୍କ ଆକଳନ ଅନୁସାରେ ୨୦୨୫ କୁମ୍ଭମେଳା ଆରମ୍ଭ ପୂର୍ବରୁ ଜାନୁୟାରୀ ୯ ତାରିଖରେ ପ୍ରୟାଗରାଜରେ ତାପମାତ୍ରା ସ୍ୱଭାବିକରୁ ଅଧିକ ହ୍ରାସ ହେବ । ଆଇଏମଡି ମହାନିର୍ଦ୍ଦେଶକ ଡା.ମହାପାତ୍ର କୁମ୍ଭ ମେଳା ଲାଗି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣିପାଗ ଅପଡେଟ୍ ଉପଲବ୍ଧ କରାଯିବ ବୋଲି କହିଛନ୍ତି । ଏହି ମେଳା ଜାନୁୟାରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.