ନୂଆଦିଲ୍ଲୀ ୪।୧: ଗହମ ଦର ଲଗାତାର ବଢ଼ି ଚାଲିଛି। ଗହମ ମୂଲ୍ୟ ବୃଦ୍ଧି ଯୋଗୁ ଅଟା ଦର ମଧ୍ୟ ବଢୁଛି। ଫଳରେ ସାଧାରଣ ଗ୍ରାହକ ଏବେ ଚିନ୍ତାରେ ପଡିଛନ୍ତି। ଗହମ ଦର ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ହୋଇଛି। ତେବେ ସରକାରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଏଣୁ ଆକଳନ କରାଯାଉଛି ଏବେ କିଛି ମାସ ପର୍ଯ୍ୟନ୍ତ ଗହମ ଦର ଆକାଶ ଛୁଆଁ ରହିବ। କାରଣ ମଣ୍ଡି ସମେତ ଖୋଲା ବଜାରରେ ମଧ୍ୟ ଗହମ ମୂଲ୍ୟ ଅଧିକ ରହିଛି।
ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜରାଟ ଓ ଗୋଆ ମଣ୍ଡିମାନଙ୍କରେ ଗହମ କ୍ୱିଣ୍ଟଲ ପିଛା ଦର ୫,୮୧୧ଟଙ୍କାକୁ ପହଞ୍ଚିଛି। ଯାହା ସରକାର ଗତବର୍ଷ ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ୨ଗୁଣ ରୁ ବି ଅଧିକ ହୋଇଯାଇଛି। ସରକାରୀ ତଥ୍ୟ ମୁତାବକ ହାରାହାରି ଦର କେଜି ପିଛା ୩୩ ଟଙ୍କା ହେଲେ ସର୍ବାଧିକ ମୂଲ୍ୟ ଏବେ କେଜି ପିଛା ୫୯ ଟଙ୍କାକୁ ଛୁଇଁଲାଣି। ଯାହା ଗହମ ମୂଲ୍ୟର ଐତିହାସିକ ସ୍ତର ବୋଲି ଏବେ କୁହାଯାଉଛି।
ଉତ୍ତରପ୍ରଦେଶରେ ଗହମ ଦର କଥା କହିଲେ କେଜି ପିଛା ୩୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ଦର ୩୩ ଟଙ୍କା ରହିଛି। ଗୁଜରାଟ ଓ ମହାରାଷ୍ଟ୍ରରେ ଏହି ଦର ଯଥାକ୍ରମେ କେଜି ପିଛା ୩୫ଟଙ୍କା ୯୦ ଓ ୩୯ଟଙ୍କା ୯୫ ପଇସାକୁ ପହଞ୍ଚିଛି। ଏବେ ଗୋଆରେ ଗହମ କେଜି ପିଛା ଦର ୫୧ ଟଙ୍କାରେ କାରବାର ହେଉଛି। ଗହମର ଏହି ଦର ଏମଏସପିର ୬୪ ପ୍ରତିଶତରୁ ବି ଅଧିକ ବୋଲି କୁହାଯାଉଛି। ଆଗାମୀ ଋତୁ ନିମନ୍ତେ ସରକାର ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୱିଣ୍ଟଲ ପିଛା ୨,୪୨୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ତେବେ ଏଥରକ ଦର ୨,୨୭୫ ଟଙ୍କା ପ୍ରତି କ୍ୱିଣ୍ଟଲ ରହିଛି।
ଏବେ ମହାରାଷ୍ଟ୍ରରେ ଗହମର ହାରାହାରି ଦର କ୍ୱିଣ୍ଟଲ ପିଛା ୨,୮୯୯ ଟଙ୍କା ଥିବା ବେଳେ ସର୍ବାଧିକ ମୂଲ୍ୟ ୬୦୧୦ଟଙ୍କା ରହିଛି। ଗୁଜରାଟରେ ହାରାହାରି ଦର କ୍ୱିଣ୍ଟଲ ପିଛା ୨୮୮୬ ଟଙ୍କା ଥିବା ବେଳେ ସର୍ବାଧିକ ଦର ୩,୨୬୨ ଟଙ୍କାରେ କାରବାର ହେଉଛି। ଉତ୍ତରପ୍ରଦେଶରେ ଗହମର ହାରାହାରି ଦର ୨,୭୪୯ ଟଙ୍କା ପ୍ରତି କ୍ୱିଣ୍ଟଲ କାରବାର ହେଉଥିବା ବେଳେ ସର୍ବାଧିକ ଦର ୨,୮୩୩ ଟଙ୍କାରେ କାରବାର ହେଉଛି। ମଧ୍ୟପ୍ରଦେଶରେ କ୍ୱିଣ୍ଟଲ ପିଛା ହାରାହାରି ଦର ୨,୭୨୩ ଟଙ୍କାରେ କାରବାର ହେଉଥିବା ବେଳେ ସର୍ବାଧିକ ଦର ୨,୭୪୨ ଟଙ୍କା ରହିଛି। ଏହି ସମୟରେ ଦିଲ୍ଲୀରେ ହାରାହାରି ଦର ୨,୯୮୮ ଟଙ୍କାରେ କାରବାର ହେଉଥିବା ବେଳେ ଅଧିକତମ ଦର ୩,୧୦୩ ଟଙ୍କା ରହିଛି।