ନୂଆଦିଲ୍ଲୀ: କୋର୍ଟଙ୍କ ସର୍ତ୍ତ ନମାନିବାରୁ ପୁଣି ଜେଲ୍ ଗଲେ ବିପିଏସସି ପରୀକ୍ଷା ରଦ୍ଦ ଦାବି କରି ଅନଶନରେ ବସିଥିବା ପ୍ରଶାନ୍ତ କିଶୋର। ପାଟନା ସିଭିଲ କୋର୍ଟ ତାଙ୍କୁ ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ସେ ଜେଲରେ ମଧ୍ୟ ଅନଶନ ଜାରି ରଖିବା ନେଇ କହିଛନ୍ତି।
ସୂଚନାଥାଉକି, ରବିବାର ପ୍ରଶାନ୍ତ କିଶୋରଙ୍କୁ ପାଟନାର ଗାନ୍ଧୀ ମଇଦାନରୁ ଗିରଫ କରିଥିଲା ପୋଲିସ। ଏହାର କିଛି ସମୟ ପରେ ସିଭିଲ କୋର୍ଟ ତାଙ୍କୁ ୨୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ଏବଂ ଆଗକୁ ଏଭଳି ନକରିବାକୁ ଲିଖିତ ଭାବରେ ଦେବାକୁ ସର୍ତ୍ତରେ ଜାମିନ ଦେଇଥିଲେ। ହେଲେ ପ୍ରଶାନ୍ତ କିଶୋର ସର୍ତ୍ତମୂଳକ ଜାମିନ ମନା କରିଥିଲେ। ଫଳରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଡ଼ିଛି। ପ୍ରଶାନ୍ତ କିଶୋରଙ୍କ ଓକିଲ ଶିବାନନ୍ଦ ଗିରି କହିଛନ୍ତି ଆମେ କୋର୍ଟଙ୍କୁ ସର୍ତ୍ତ ହଟାଇବାକୁ ଅନୁରୋଧ କରିଥିଲୁ। ମାତ୍ର କୋର୍ଟ ମନା କରିଥିଲେ।
ଜନ ସୂରାଜ ପାର୍ଟୀର ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ବିପିଏସସି ପରୀକ୍ଷା ପେପର ଲିକ ବିବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୪ ଦିନରୁ ଆମରର ଅନଶନରେ ବସିଥିଲେ। ପୋଲିସ ତାଙ୍କୁ ଗାନ୍ଧୀ ମଇଦାନରୁ ପ୍ରଥମେ ହେପାଜତ ଏବଂ ପରେ ଗିରଫ କରିଥିଲେ। ପୋଲିସ ଅଭିଯୋଗ ଆଣିଛି ସେ ବିନା ଅନୁମତିରେ ଗାନ୍ଧୀ ମଇଦାନରେ ଧାରଣା ଦେଉଥିଲେ।
ପ୍ରଶାନ୍ତ କିଶୋରଙ୍କ ଗିରଫକୁ ନେଇ ପାଟନା ଜିଲ୍ଲାଧିକାରୀ ଡାକ୍ତର ଚନ୍ଦ୍ରଶେଖର ସିଂହ କହିଛନ୍ତି , ପ୍ରଶାନ୍ତ କିଶୋର ଗାନ୍ଧୀ ମଇଦାନର ଅନୁମତି ନଥିବା ଅଞ୍ଚଳରେ ଅବୈଧ ଭାବରେ ଧାରଣା ଦେଉଥିଲେ । ଆଉ ଏଥିପାଇଁ ତାଙ୍କ ବିରୋଧରେ ଗାନ୍ଧୀ ମଇଦାନ ଥାନାରେ ଏଫଆଇଆର ମଧ୍ୟ ହୋଇଥିଲା। ତାଙ୍କୁ ଅନେକ ଥର ଜାଗା ଖାଲି କରିବାକୁ ମଧ୍ୟ କୁହାଯାଇଥିଲା।
ହେଲେ ଏହା ସତ୍ତ୍ବେବି ସେ ଏବଂ ସେମାନଙ୍କ ସମର୍ଥକ ସେଠାରୁ ହଟିନଥିଲେ। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରଶାନ୍ତ କିଶୋରଙ୍କ ସହ ୪୩ ଜଣକୁ ହେପାଜତକୁ ନିଆଯାଇଥିଲା। ୧୫ ଗାଡ଼ି ଜବତ କରାଯାଇଛି। ଯାଞ୍ଚରୁ ଜଣାପଡ଼ିଥିଲା ଯେ, ୪୩ରୁ ୩୦ ଜଣ ଛାତ୍ର ନୁହଁନ୍ତି । ଏଦିଗରେ ଅଧିକ ତଦନ୍ତ ଯାଞ୍ଚ ରହିଥିବା କହିଚନ୍ତି ଜିଲ୍ଲାଧିକାରୀ।