ଜାତୀୟ ସଙ୍ଗୀତର ଅପମାନ କହି ଗୃହକୁ ସମ୍ୱୋଧନ ନକରି ଚାଲିଗଲେ ତାମିଲନାଡ଼ୁ ରାଜ୍ୟପାଳ, ସରକାର ଏବଂ ରାଜଭବନ ପୁଣି ମୁହାଁମୁହିଁ

Published By : Prameya-News7 Bureau | January 06, 2025 IST

ନୂଆଦଲ୍ଲୀ: ତାମିଲନାଡ଼ୁ ସରକାର ଏବଂ ରାଜ୍ୟପାଳ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ନିୟମ ଅନୁସାରେ ତାମିଲନାଡ଼ୁ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଆରଏନ୍ ରବି ଗୃହକୁ ସମ୍ୱୋଧନ କରିଥାନ୍ତେ । କିନ୍ତୁ ବିଧାନସଭା ଅଧିବେଶନ ଆରମ୍ଭରେ ଜାତୀୟ ସଙ୍ଗୀତର କଥିତ ଅପମାନରେ ଅସନ୍ତୋଷ ବ୍ୟକ୍ତ କରି ଗୃହକୁ ସମ୍ୱୋଧନ ନକରି ଚାଲିଗଲେ ରାଜ୍ୟପାଳ । ମିଡିଆ ରିପୋର୍ଟ ଅନୁସାରେ ବିଧାନସଭା ଅଧିବେଶନ ଆରମ୍ଭରେ ତାମିଲନାଡୁର ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ବଜଥୁ’ ଗାନ ହୋଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ ତାମିଲନାଡ଼ୁ ରାଜ୍ୟ ସଙ୍ଗୀତ ଗାନ ପରେ ଜାତୀୟ ସଙ୍ଗୀତ ପାଇଁ ରାଜ୍ୟପାଳ ଆରଏନ୍ ରବି ଦାବି କରିଥିଲେ । କିନ୍ତୁ ତାଙ୍କ ଦାବିକୁ ଗ୍ରହଣ କରାଯାଇନଥିଲା । ଏଥିରେ ରାଜ୍ୟପାଳ ରାଗି ଯାଇ ବିଧାନସଭା ଅଧିବେଶନକୁ ସମ୍ୱୋଧନ ନକରି ଗୃହରୁ ଚାଲିଯାଇଥିଲେ । ତାମିଲନାଡ଼ୁ ରାଜଭବନ ଏହି ପୂରା ପ୍ରସଙ୍ଗ ଉପରେ ବୟାନ ଜାରି କରିଛି ।

ସୋସିଆଲ୍ ମିଡିଆରେ ଜାରି ବୟାନରେ ରାଜଭବନ କହିଛି, 'ଭାରତର ସମ୍ୱିଧାନ ଏବଂ ଜାତୀୟ ସଙ୍ଗୀତକୁ ପୁଣି ଥରେ ତାମିଲନାଡ଼ୁ ବିଧାନସଭାରେ ଅପମାନ କରାଯାଇଛି । ସମ୍ୱିଧାନର ପ୍ରଥମ ମୌଳିକ କର୍ତ୍ତବ୍ୟ ଜାତୀୟ ସଙ୍ଗୀତର ସମ୍ମାନ ବୋଲି କୁହାଯାଇଛି । ସବୁ ରାଜ୍ୟର ବିଧାନସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ଗାନ ହୁଏ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ପୂର୍ବରୁ କେବଳ ତାମିଲ ଥାଇ ବଜଥୁ ଗାୟନ କରାଗଲା । ରାଜ୍ୟପାଳ ଗୃହକୁ ସମ୍ମାନର ସହ ସାମ୍ୱିଧାନିକ କର୍ତ୍ତବ୍ୟ ସ୍ମରଣ କରାଇଲେ ଏବଂ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପାଇଁ ଦାବି କରିଥିଲେ । କିନ୍ତୁ ତାଙ୍କ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏବଂ ଗୃହର ବାତସ୍ପତି ଅଗ୍ରାହ୍ୟ କରିଥିଲେ । ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ଏଭଳି ସ୍ଥିତିରେ ଜାତୀୟ ସଙ୍ଗୀତ ଏବଂ ସମ୍ୱିଧାନର ଅପମାନର ଅଂଶ ନହୋଇ, କଡ଼ା ଆପତ୍ତି ଉଠାଇ ରାଜ୍ୟପାଳ ଗୃହ ତ୍ୟାଗ କରିଥିଲେ ।'

ରାଜ୍ୟପାଳ ଗୃହରୁ ଚାଲିଯିବା ପରେ ବାତସ୍ପତି ଅପ୍ପାଭୁ ରାଜ୍ୟପାଳଙ୍କ ପାଇଁ ଲେଖାଯାଇଥିବା ସରକାରୀ ଅଭିଭାଷଣକୁ ପଢି ଗୃହ କାର୍ଯ୍ୟକୁ ଆଗକୁ ବଢାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ବର୍ଷ ଧରି ତାମିଲନାଡ଼ୁ ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ସମ୍ୱୋଧନ ବେଳେ ବିବାଦ ଦେଖିବାକୁ ମିଳୁଛି । ପୂର୍ବଥର ସମ୍ୱୋଧନ ବେଳେ ସରକାରଙ୍କ କିଛି ଲେଖାକୁ ପଢିବା ପାଇଁ ରାଜ୍ୟପାଳ ମନା କରିଦେଇଥିଲେ । ଯାହାକୁ ନେଇ ଖୁବ୍ ବିବାଦ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.