ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, କେଜରିୱାଲ୍‌ଙ୍କ ବିରୋଧରେ ପ୍ରବେଶ ବର୍ମା

Published By : Prameya-News7 Bureau | January 04, 2025 IST

indiatoday

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦଳ ସାଂସଦ ପ୍ରବେଶ ବର୍ମାଙ୍କୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କ ବିରୋଧରେ ନୂଆ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନାଙ୍କ ବିରୋଧରେ କାଲକାଜୀରୁ ପ୍ରାର୍ଥୀ ହୋଇଛନ୍ତି ବିଜେପି ଭେଟେରନା ରମେଶ ବିଧୁରି। 

ପ୍ରଥମ ପର୍ଯ୍ୟାୟରେ ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଗତବର୍ଷ ଆପ୍‌ରୁ ଆସି ବିଜେପିରେ ସାମିଲ୍ ହୋଇଥିବା ପୂର୍ବତନ ଆପ୍ ମନ୍ତ୍ରୀ ରାଜ କୁମାର ଆନନ୍ଦ ଓ କୌଳାଶ ଗେହଲୋଟଙ୍କୁ ମଧ୍ଯ ବିଜେପି ଟିକେଟ୍ ଦେଇଛି।

ଅରବିନ୍ଦ କେଜରିୱାଲ୍‌ଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ପ୍ରବେଶ ବର୍ମାଙ୍କ ବିରୋଧରେ ଆପ୍ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଥିଲା। ଏହି ଦୁଇ ନେତାଙ୍କ ମଧ୍ଯରେ ନୂଆଦିଲ୍ଲୀ ଆସନରୁ କଡ଼ା ଟକ୍କର ହେବ ବୋଲି ଜଣାପଡ଼ୁଛି। ଅନ୍ୟପଟେ କଂଗ୍ରେସ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ପୁଅ ସନ୍ଦୀପ ଦିକ୍ଷୀତଙ୍କୁ ନୂଆଦିଲ୍ଲୀରୁ ପ୍ରାର୍ଥୀ କରିଛି। ସେ ବି ଦିଲ୍ଲୀ ରାଜନୀତିର ଜଣେ ଟାଣୁଆ ନେତା। ତେଣୁ ନୂଆ ଦିଲ୍ଲୀ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବ। 

କେଜ୍ରିୱାଲ ୨୦୧୩ ମସିହାରୁ ନୂଆଦିଲ୍ଲୀ ଆସନରୁ ବିଧାୟକ ଅଛନ୍ତି। ସେପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ ବିଜେପି ପ୍ରବେଶ ବାର୍ମାଙ୍କ ବିରୋଧରେ ଆପ ସାଂଘାତିକ ଅଭିଯୋଗ ଆଣିଥିଲା। ସେ ନୂଆଦିଲ୍ଲୀରେ ମହିଳାଙ୍କୁ ୧୧୦୦ ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଥିଲା ଦଳ। ଏନେଇ ଆପ୍ ପ୍ରବେଶଙ୍କ ବିରୋଧରେ ଇଡିରେ ଅଭିଯୋଗ କରିଛି। ହେଲେ ପ୍ରବେଶ ବର୍ମା ଆପ୍‌ର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। 

ଗାନ୍ଧୀ ନଗର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି। ବର୍ତ୍ତମାନ ସେଠାରେ  ବିଧାୟକ ଥିବା ଅନୀଲ ବାଜପେୟୀଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦ ସିଂହ ଲଭଲୀଙ୍କୁ ଟିକେଟ୍ ଦେଇଛି ଦଳ। ଶ୍ରୀ ଲଭଲୀ ୨୦୦୩ ରୁ ୨୦୧୩ ପର୍ଯ୍ୟନ୍ତ ଶୀଲା ଦିକ୍ଷୀତଙ୍କ କଂଗ୍ରେସ ସରକାରରେ ମନ୍ତ୍ରୀ ରହିଥିଲେ। ହେଲେ ଗତ ବର୍ଷ ସେ ଦଳରେ ଅବହେଳା ହେଉଥିବା ଅଭିଯୋଗ କରି ବିଜେପିରେ ଯୋଗ ଦେଇଥିଲେ।

କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଏକାଧିକ ନେତାକୁ ବିଜେପି ଏଥର ଟିକେଟ୍ ଦେଇଛି। ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ରାଜକୁମାର ଚୌହାନଙ୍କୁ ମଙ୍ଗୋଲପୁରୀରୁ ଟିକେଟ ଦିଆଯାଇଥିବା ବେଳେ କଂଗ୍ରେସର ଅନ୍ୟ ଜଣେ ପୂର୍ବତନ ବିଧାୟକ ତରୱିନ୍ଦର ସିଂ ମାରୱାଙ୍କୁ ଆପ୍‌ ନେତା ମନୀଷ ସିସୋଦିଆଙ୍କ ବିରୋଧରେ ଜଙ୍ଗପୁରାରୁ ପ୍ରାର୍ଥୀ କରାଯାଇଛି। 

ପୂର୍ବତନ ଆପ୍ ମନ୍ତ୍ରୀ କୈଳାଶ ଗେହଲୋଟଙ୍କୁ ତାଙ୍ଗ ଗଡ଼ ନଜାଫଗଡ ବଦଳରେ ବିଜୱାସାନରୁ ପ୍ରାର୍ଥୀ କରାଯାଇଛି। ସେହିପରି  ରାଜ କୁମାର ଆନନ୍ଦଙ୍କୁ ପଟେଲ ନଗରରୁ ଟିକେଟ ପାଇଛନ୍ତି। କୈଳାଶ ଗେହଲଟ୍ ଦିନେ ନିଜକୁ ଅରବିନ୍ଦ କେଜରିୱାଲ୍‌ଙ୍କ ହନୁମାନ କହିଥିଲେ, ସେ ଗତ ବର୍ଷ ନଭେମ୍ବରରେ ତାଙ୍କ ରାମକୁ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏବଂ ଅଭିଯୋଗ ଆଣିଥିଲେ ଆପ ଏହାର ମୂଳ ମୂଲ୍ୟବୋଧଠାରୁ ଦୂରେଇ ଯାଇଛି। ତେଣୁ ସେ ଦଳ ଛାଡ଼ିଛନ୍ତି ବୋଲି କହିଥିଲେ।  

ସେହିପରି ଆପ୍‌ରୁ ଆସି ବିଜେପିରେ ମିଶିଥିବା ବିଧାୟକ କର୍ତାର ସିଂ ତନୱାର ତାଙ୍କ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିବା ବେଳେ ଦିଲ୍ଲୀ ବିରୋଧୀ ଦଳର ନେତା ବିଜୟନ୍ଦର ଗୁପ୍ତା, ଓମ୍ ପ୍ରକାଶ ଶର୍ମା, ଅଜୟ ମହାୱର ଏବଂ ଜିତେନ୍ଦ୍ର ମହାଜନ ଆଦି ବିଧାୟକଙ୍କୁ ଯଥାକ୍ରମେ ରୋହିଣୀ, ବିଶ୍ୱ ନାଗର, ଘୋଣ୍ଡା, ଏବଂ ରୋହତସ ନାଗରରୁ ପୁଣିଥରେ ଟିକେଟ୍ ଦିଆଯାଇଛି। 

ଦିଲ୍ଲୀର ପୂର୍ବତନ ବିଜେପି ସଭାପତି ସତୀଶ ଉପାଧ୍ୟାୟ ମାଲଭିଆ ନଗରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ମନୋଜ ଶୋକେନ ନାଙ୍ଗଲୋଇ ଜାଟରୁ ପ୍ରାର୍ଥୀ ହୋଇଛନ୍ତି। ସୂଚନା ଥାଉକି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ ପୂର୍ବରୁ ହିଁ ସମସ୍ତ ୭୦ ଆସନରେ   ନିଜର ପ୍ରାର୍ଥୀ ଘୋଷଣା କରି ସାରିଛି। ସେହିପରି କଂଗ୍ରେସ ଏପର୍ଯ୍ୟନ୍ତ ୪୭ ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.