ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍, ପରେ ପାର୍ଟିର ଶୀର୍ଷ ନେତାଙ୍କ ସହ ବୈଠକ କଲେ; ସଂଗଠନରୁ କ୍ୟାବିନେଟ୍ ଯାଏ କିଛି ବଡ଼ ପରିବର୍ତ୍ତନ ହୋଇପାରେ

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ମଙ୍ଗଳବାର ବୈଠକ ହୋଇଥିଲା । ବୁଧବାର ଲଗାତାର ଦ୍ୱିତୀୟ ଦିନରେ ବିଜେପିର ଶୀର୍ଷ ନେତାଙ୍କ ବୈଠକ ଦିଲ୍ଲୀ ରାଜନୀଜିକୁ ସରଗରମ କରିଛି । ଅନୁମାନ କରାଯାଉଛି ଯେ ବିଜେପି ଖୁବଶୀଘ୍ର ସଂଗଠନ ସ୍ତରରେ ବଡ଼ ପରିବର୍ତ୍ତନ କରିପାରେ ଓ ପାର୍ଟିର ନୂଆ ଅଧ୍ୟକ୍ଷ ଘୋଷଣା କରାଯାଇପାରେ । ବୁଧବାର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପାର୍ଟିର ସଂଗଠନ ମହାସଚିବ ବିଏଲ୍ ସନ୍ତୋଷ ଉପସ୍ଥିତ ରହିଥିଲେ, ଯାହାର ସୂଚନା ସାର୍ବଜନୀନ କରାଯାଇନାହିଁ । କିନ୍ତୁ ଏହି ବୈଠକ ମଙ୍ଗଳବାର ଜେପି ନଡ୍ଡାଙ୍କ ସହ ଶାହ ଓ ରାଜନାଥ ସିଂହ ବୈଠକ ପରେ ହୋଇଛି । ଯାହା ପାର୍ଟିର ସଂଗଠନରେ ପରିବର୍ତ୍ତନକୁ ସଂକେତ ଦେଉଥିବା ଅନୁମାନ କରାଯାଉଛି । 

ସେପଟେ ପାର୍ଟିର ପଦାଧିକାରୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସାକ୍ଷାତକୁ କେବଳ ଔପଚାରିକ ପ୍ରକ୍ରିୟା ବୋଲି କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ନିଜ ବିଦେଶ ଯାତ୍ରାର ସୂଚନା ଦିଅନ୍ତି । କିନ୍ତୁ ଜାତୀୟ ଗଣମାଧ୍ୟମର ବିଭିନ୍ନ ରିପୋର୍ଟରେ ଦାବି କରାଯାଉଛି ଯେ ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତି ଉପରେ ଆଲୋଚନା ହୋଇଥାଇପାରେ, ଯେଉଁଥିରେ ରାଷ୍ଟ୍ରପତିଙ୍କ ପାଇଁ ତିନି ମାସ ଭିତରେ ନିଷ୍ପତ୍ତି ନେବାର ସୀମା ଧାର୍ଯ୍ୟ କରାଯାଇଛି । ସରକାର ଏବେ ଏହି ନିଷ୍ପତ୍ତି ଉପରେ ରିଭ୍ୟୁ ପିଟିସନ ଦାଖଲ କରିବା ନେଇ ପ୍ରସ୍ତୁତି କରୁଛନ୍ତି ।

ସେପଟେ ରାଜନୈତିକ ମହଲରେ କେନ୍ଦ୍ରରେ ସମ୍ଭାବିତ କ୍ୟାବିନେଟ୍ ପରିବର୍ତ୍ତନ ଉପରେ ମଧ୍ୟ ଚର୍ଚ୍ଚା କରାଯାଉଛି । ୨୦୨୪ ଜୁନରେ ତୃତୀୟ ଥର ସରକାର ଗଠନ ପରଠୁ ଏବେ ସୁଦ୍ଧା କେନ୍ଦ୍ର ମନ୍ତ୍ରିମଣ୍ଡଳରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ଆଗାମୀ ଦିନରେ ବିହାର ଓ ପରେ ୨୦୨୬ରେ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବେ । ଏହି ରାଜ୍ୟଗୁଡ଼ିକରୁ ଅନେକ ନୂଆ ଚେହେରାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.