ମହାକୁମ୍ଭ ସମାପନ ପରେ ବ୍ଲଗ୍‌ ଲେଖିଲେ ପ୍ରଧାନମନ୍ତ୍ରୀ, ସଂଗମ ବୁଡ ଯୋଡିଲା ନୂଆ ଅଧ୍ୟାୟ

Published By : Prameya-News7 Bureau | February 28, 2025 IST

ଉତ୍ତରପ୍ରଦେଶ ୨୮/୦୨: ପ୍ରୟାଗରାଜ ମହାକୁମ୍ଭର ସମାପନ ପରେ ସୋସିଆଲ୍‌ ମିଡିଆରେ ବ୍ଲଗ୍‌ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିରେ ଦେଶବାସୀଙ୍କୁ ଏଥିରେ ସକ୍ରିୟ ଭାବେ ଭାଗ ନେଇଥିବାରୁ ଧନ୍ୟବାଦ ଦେଇଛନ୍ତି ସେ । ବ୍ଲଗ୍‌ରେ ମୋଦି ଲେଖିଛନ୍ତି, ଏକତାର ମହାଯଜ୍ଞ ସଂପନ୍ନ ହୋଇଛି । 

ପ୍ରୟାଗରାଜରେ ଏକତାର ମହାକୁମ୍ଭରେ ପୂରା ୪୫ ଦିନ ଧରି ଯେଉଁଭଳି ଭାବେ ୧୪୦ କୋଟି ଦେଶବାସୀଙ୍କର ଆସ୍ଥା ଏକ ସଙ୍ଗରେ, ଏକ ସମୟରେ ଏହି ପର୍ବ ସହିତ ଯୋଡ଼ି ହୋଇଥିଲା ତାହା ଅଭିଭୂତ କରୁଛି । ଏତେ ବିଶାଳ ଆୟୋଜନ ସହଜ ନଥିଲା । ମା’ ଗଙ୍ଗା, ଯମୁନା, ସରସ୍ୱତୀଙ୍କୁ ପ୍ରାର୍ଥନା କରୁଛି ଯେ ଯଦି ଆମର ଆରାଧନାରେ କୌଣସି ଅଭାବ ରହିଯାଇଥିବ ତେବେ କ୍ଷମା କରିବେ । ଶ୍ରଦ୍ଧାଳୁମାନଙ୍କ ସେବାରେ ବି ଯଦି କୌଣସି ଅଭାବ ରହିଯାଇଥିବ ତେବେ ଜନତାଙ୍କୁ କ୍ଷମାପ୍ରାର୍ଥନା କରୁଛି । 



ମହାକୁମ୍ଭ ଏବେ ସାରା ବିଶ୍ୱରେ ମ୍ୟାନେଜମେଣ୍ଟ ପ୍ରଫେସନାଲ, ପଲିସୀ ବିଶେଷଜ୍ଞମାନଙ୍କ ଲାଗି ଗବେଷଣାର ବିଷୟ ପାଲଟିଛି । ଏହି ମହାପର୍ବରେ ଏତେ ଅଧିକ ଲୋକମାନଙ୍କର ସମାଗମ କେବଳ ଏକ ରେକର୍ଡ ନୁହେଁ, ବରଂ ଆମର ସଂସ୍କୃତି, ଐତିହ୍ୟକୁ ସୁଦୃଢ଼ ତଥା ସମୃଦ୍ଧ ରଖିବା ଲାଗି ଅନେକ ଶତାଦ୍ଦୀ ପାଇଁ ଏକ ସଶକ୍ତ ମୂଳଦୂଆ ସ୍ଥାପନ କରିଛି । ନିଜର ଐତିହ୍ୟକୁ ନେଇ ଗର୍ବ କରୁଥିବା ବର୍ତ୍ତମାନର ଭାରତ ଏକ ନୂଆ ଉତ୍ସାହର ସହ ଆଗକୁ ବଢ଼ୁଛି । 

ଏହା ଯୁଗ ପରିବର୍ତ୍ତନର ସଙ୍କେତ ଯାହାକି ଦେଶର ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି । ସମାଜର ସବୁ ବର୍ଗ ଓ ସବୁ କ୍ଷେତ୍ରର ଲୋକେ ଏହି ମହାକୁମ୍ଭ ଲାଗି ଏକାଠି ହୋଇଥିଲେ । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏହି ସ୍ମରଣୀୟ ଦୃଶ୍ୟ କୋଟି କୋଟି ଭାରତୀୟଙ୍କ ପାଇଁ ଆତ୍ମବିଶ୍ୱାସର ମହାପର୍ବ ପାଲଟିଯାଇଥିଲା ବୋଲି ସେ ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.