ଭୁବନେଶ୍ଵର: ଆଉ ଦୁଇଦିନ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦୀ। ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ କରିବେ ରୋଡ୍ ସୋ । ଏଥିପାଇଁ ଆଜି ଏସପିଜି ପ୍ରଧାନମନ୍ତ୍ରୀ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଜନତା ମଇଦାନରେ ପହଞ୍ଚି ରାଜସ୍ବ, ପୂର୍ତ୍ତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ମୁଖ୍ୟଶାସନ ସଚିବ ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।
ଜନତା ମଇଦାନରେ ହେବାକୁ ଥିବା ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ଉତ୍ସବରେ ଯୋଗ ଦେବାକୁ ଜୁନ ୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସିବେ। ସେଥିପାଇଁ ଜନତା ମଇଦାନରେ ୧ଲକ୍ଷ ଲୋକଙ୍କ ସମାଗମ ହେବ। ପ୍ରତି ବ୍ଲକରୁ ବିଜେପିର କର୍ମୀ ଏହି ଉତ୍ସବରେ ଯୋଗ ଦେବେ। ସେଥିପାଇଁ ସମସ୍ତ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଜନତା ମଇଦାନରେ ଗୋଟିଏ ବଡ ଷ୍ଟେଜ କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ବସିବା ସହିତ ତିନି କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନେ ବସିବେ। ତଳେ ଭିଭିଆଇପି, ଭିଆଇପି, ନେତା, ସାମ୍ବାଦିକ ଏବଂ କର୍ମୀଙ୍କ ପାଇଁ ଅଲଗା ଅଲଗା ବ୍ଲକ କରାଯାଇଛି। ସେହି ଦିନ ମୋଦୀ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ମୂଳଦୂଆ ପକାଇବେ । ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏପରିକି ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋହନ ସରକାର, ୨୦୩୬ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ କରିବେ।
ଏପଟେ ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଜ କରିଛି ଏସପିଜି। ଓଡ଼ିଶାରେ ଦୁଇ ଘଣ୍ଟା ରହିବେ ମୋଦୀ। ବିମାନବନ୍ଦରରୁ ଜନତା ମଇଦାନ ରୋଡ ସୋ କରିବେ। ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ୨୮ଟି ପଏଣ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ବାଜା ବାଣରେ ସ୍ବାଗତ କରାଯିବ। ସେଥିପାଇଁ ଆଜି ବିମାନବନ୍ଦରରେ ଏସପିଜି, ବିମାନବନ୍ଦର ନିର୍ଦ୍ଦେଶକ, କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ପ୍ରିୟଦର୍ଶୀ ମିଶ୍ରଙ୍କୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ।
ଭୁବନେଶ୍ବରରେ ବିମାନ ବନ୍ଦରରୁ ଏଜି ଛକ, ରାଜଭବନରୁ ଜୟଦେବ ବିହାର ରାସ୍ତା ଦେଇ ପ୍ରଧନାମନ୍ତ୍ରୀ ଜନତା ମଇଦାନକୁ ଗସ୍ତ କରିବେ। ଏହି ରୁଟ ଲାଇନରେ ଫିଲଡ ଭିଜିଟ କରି ସୁାରକ୍ଷା ଯାଞ୍ଚ କରିଛି ଏସପିଜି। ଏପଟେ ମୁଖ୍ୟଶାସନ ସଚିବ ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥର କେନ୍ଦ୍ର ସରକାରଙ୍କ ୧୧ ବର୍ଷର ହିସାବ ରଖିବେ ମୋଦୀ।