କଳାହାଣ୍ଡି ୧।୨: ବନ୍ଧାହେଲେ ୮ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଡକାୟତ । ଜବତ ହେଲା ସାଢେ ୩ କୋଟିରୁ ଅଧିକ ଟଙ୍କା । କଳାହାଣ୍ଡି ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବା ପରେ ସେମାନଙ୍କ ଠାରୁ ଟଙ୍କା ଉଦ୍ଧାର ହୋଇଛି । ଗତ ୩୦ ତାରିଖରେ ଘଟିଥିଲା ଏହି ସଂଗଠିତ ଡକାୟତି । ଏକ ବୋଲେରୋରେ ୮ ଜଣ ଡକାୟତ ଆସି ଧର୍ମଗଡ଼ରେ ଥିବା ଏକ ଦେଶୀ ମଦ ଭାଟିରେ ରାତି ଅଧରେ ପଶିଥିଲେ । ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଟଙ୍କା ଲୁଟିଥିଲେ। ଯେଉଁ ବୋଲେରୋରେ ଡକାୟତମାନେ ଆସିଥିଲେ ସେହି ବୋଲେରୋରେ ୬ ଜଣ ଡକାୟତ ଫେରାର ହୋଇଯାଇଥିଲେ । ବାକି ୨ ଜଣ ସେଠାରୁ ଦୌଡି ଦୌଡି ରାସ୍ତାରେ ଯାଉଥିବା ବେଳେ ପୋଲିସ ଗାଡିକୁ ଲିଫ୍ଟମାଗିଥିଲେ । ପୋଲିସ ଏମାନଙ୍କ ହାବଭାବ ଦେଖି ଥାନାକୁ ନେଇ ଆସିଥିଲା । ଏମାନଙ୍କୁ ସର୍ଚ୍ଚ କରିବା ସମୟରେ ଦୁଇଜଣଙ୍କ ପକେଟରୁ ବାହାରିଥିଲା ୩ ଲକ୍ଷ ଟଙ୍କା । ଆଉ ଏହାର କିଛି ସମୟ ପରେ ସେହି ଥାନାରେ ୩ କୋଟିରୁ ଅଧିକ ଟଙ୍କା ନିକଟ ଦେଶୀ ମଦଭାଟିରୁ ଡକାୟତି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ ଭାଟି ମାଲିକ । ଧରା ପଡିଥିବା ଦୁଇ ଡକାୟତଙ୍କୁ ଧରି ପୋଲିସ ଆରମ୍ଭ କରିଥିଲା ଅପରେସନ୍। ଏମାନଙ୍କ ଚେର ଲମ୍ବିଥିଲା ଓଡିଶାରୁ ଝାଡଖଣ୍ଡ ।
ଡକାୟତ ମାନେ ଆସିଥିବା ବୋଲେରୋକୁ ଠାବ କରିବା ପାଇଁ ବିଭିନ୍ନ ସିସିଟିଭିକୁ ଯାଞ୍ଚ କରାଯାଇଥିଲା । କଳାହାଣ୍ଡି ସମେତ ବଲାଙ୍ଗୀର , ବରଗଡ , ସମ୍ବଲପୁର , ଝାରସୁଗୁଡା , ସୁନ୍ଦରଗଡ , ରାଉଲକେଲା , ଝାଡଖଣ୍ଡର ଗୁମଲା , ରାଞ୍ଚି ରୁରାଲ ଓ ସିମୋଡେଗା ଜିଲ୍ଲାର ପୋଲିସର ସହାୟତା ନିଆଯାଇଥିଲା । ଏହାପରେ ଅନ୍ୟ ୬ ଡକାୟତଙ୍କୁ ରାଞ୍ଚିରୁ ଗିରଫ କରିଥିଲା ଓଡ଼ିଶା ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୁଳି, ମାରଣାସ୍ତ୍ର ସହିତ ବୋଲେରୋ ଜବତ କରାଯାଇଥିଲା । ଗିରଫ ଡକାୟତ ମାନେ ହେଲେ ତାହିର ଆନଶାରୀ , ହୁସେନ ଖାନ , ଜସିମ ଖାନ , ସାମିମ ଆନଶାରୀ , ବାସୁଦେବ ଗୋପେ , ଅନୁଜ କୁମାର , ସମିମ ଓ ଅଲିମ । ଏମାନଙ୍କ ଘର ରାଞ୍ଚି ଜିଲ୍ଲାରେ ବୋଲି କହିଛନ୍ତି ପୋଲିସ ଡିଜି । ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ପାଇଁ କଳାହାଣ୍ଡି ଏସ୍ପି ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି ।
You Can Read:
ବାରବାଟୀ ଦିନିକିଆ ପାଇଁ ରବିବାରଠୁ ଅନ୍ଲାଇନ୍ ଟିକେଟ୍ ବିକ୍ରି, ଅପରାହ୍ନ ୪ଟାରୁ ହେବ ଉପଲବ୍ଧ