ଭୁବନେଶ୍ୱର,୦୨।୦୨: ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ ଏ ବର୍ଷ ପ୍ରଥମ ଥର ପାଇଁ ଦିନ ତାପମାତ୍ରା ଶନିବାର ୩୫ ଡିଗ୍ରୀ ଟପିଛି। ମଧ୍ୟାହ୍ନରେ ଖରାଦିନ ଭଳି ତାତି ଅନୁଭୂତ ହେଉଛି । ରବିବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।
ଶନିବାର ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୫.୨ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ରହିଛି । ସମ୍ବଲପୁର ଓ ହୀରାକୁଦରେ ଦିନ ତାପମାତ୍ରା ୩୪.୭ ରହିଥିଲା । ଭବାନୀପାଟଣାରେ ୩୪ ଡିଗ୍ରୀ ଥିଲା। ସେପଟେ ରାତି ତାପମାତ୍ରା ବି ବଢ଼ିବା ଯୋଗୁ ବିଶେଷ ଶୀତ ଅନୁଭୂତ ହେଉନି । ଅଧିକାଂଶ ସ୍ଥାନରେ ରାତି ବେଳା ପାରଦ ୧୬ ଓ ୧୭ ଡିଗ୍ରୀ ଉପରେ ରହୁଛି । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୪.୨ ଡିଗ୍ରୀ ରହିଥିଲା । ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨.୯ ଓ ଭୁବନେଶ୍ୱରରେ ୨୨.୪ ଡିଗ୍ରୀ ଥିଲା । ଫୁଲବାଣୀରେ ପାରଦ ସବୁଠୁ କମ୍ ୧୫ ଡିଗ୍ରୀ ରହିଥିଲା ।