ରାଜ୍ୟରେ ବଢ଼ିବ ତାତି, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି

Published By : Prameya-News7 Bureau | March 10, 2025 IST

ଭୁବନେଶ୍ୱର,୧୦/୦୩: ସୋମବାରଠାରୁ ରାଜ୍ୟରେ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି  ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର  ରିଲିଫ କମିଶନର(ଏସ୍‌ଆରସି) । 

ରବିବାର ବୌଦ୍ଧ ସବୁଠୁ ତତଲା ପାଲଟିଥିଲା । ଏଠାରେ ଦିନ ତାପମାତ୍ରା  ୩୮.୫ ଡିଗ୍ରୀ ରେକର୍ଡ ହୋଇଥିଲା ।  ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ  ବଲାଙ୍ଗୀରରେ ୩୭.୪, ସୋନପୁରରେ  ୩୭.୨, ଭବାନୀପାଟଣାରେ ୩୭  ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ  ୩୩ ଡିଗ୍ରୀ ରହିଥିଲା । 

ଆସନ୍ତା ୪ରୁ ୫ ଦିନ ଯାଏ ଦିନବେଳା ତାତି କ୍ରମଶଃ ୩ରୁ ୫ଡିଗ୍ରୀ ବଢ଼ିପାରେ  ବୋଲି ଆକଳନ କରାଯାଇଛି । ସେହିଭଳି  ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ  ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ  କୁହାଯାଇଛି । ସବୁ ଜିଲ୍ଲାପାଳଙ୍କୁ ସତର୍କ  କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା  ପାଇଁ ପ୍ରସ୍ତୁତ୍‌ ରହିବାକୁ ଏସ୍‌ଆରସି  ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ,  ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ  ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।  

୧୦ ତାରିଖରେ ସମ୍ବଲପୁର,  ସୋନପୁର, ଟିଟିଲାଗଡ଼, ଭବାନୀପାଟଣାରେ  ତାତି ୪୦ ଡିଗ୍ରୀ ରହିବ । ସୁନ୍ଦରଗଡ଼ ଓ  ଝାରସୁଗୁଡ଼ାରେ ୩୯ ଡିଗ୍ରୀ, ନୂଆପଡ଼ା,  ରାଉରକେଲା, ସୁନ୍ଦରଗଡ଼ ଓ ମାଲକାନଗିରି,  ବାରିପଦା ଓ ପାରଳାଖେମୁଣ୍ଡିରେ ୩୮,  ଫୁଲବାଣୀରେ ୩୭ ଡିଗ୍ରୀ ରହିବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୧୧ ତାରିଖ(ମଙ୍ଗଳବାର)  ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼ରେ  ତାତି ୪୧ ଡିଗ୍ରୀ ଛୁଇଁବ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ  ୪୦ଡିଗ୍ରୀ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ  ନୂଆପଡ଼ା, ପାରଳାଖେମୁଣ୍ଡିରେ ତାପମାତ୍ରା ୩୯ଡିଗ୍ରୀ  ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୨  ତାରିଖରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ  ଉପରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.