ଟାଇଁ ଟାଇଁ ଖରା, ଦେହରେ ଗଳିଯାଉଛି, ୧୨ ତାରିଖ ପରେ ତାଉ ଦେଖାଇବ ତାତି

Published By : Prameya-News7 Bureau | March 03, 2025 IST

ଭୁବନେଶ୍ୱର,୦୩/୦୩: ଟାଇଁ ଟାଇଁ ଖରା, ଦେହରେ ଗଳିଯାଉଛି । ମାର୍ଚ୍ଚ ଆରମ୍ଭରୁ ହିଁ ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ  ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦  ଡିଗ୍ରୀ ସେଲ୍‌ସିୟସ୍‌ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ । 

ରବିବାର ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା  ୩୮ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି । ୧୦  ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଛି । ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ  ୩୮.୨ ଡିଗ୍ରୀ ରେକର୍ଡ ହୋଇଛି । ଶନିବାର  ବୌଦ୍ଧରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଥିଲା । ରବିବାର ଏହା ପାଖାପାଖି ଦେଢ଼ ଡିଗ୍ରୀ ବଢ଼ିଛି ।  ବଲାଙ୍ଗିରରେ ୩୮.୧ଡିଗ୍ରୀ ରହିଛି । ଅନୁଗୁଳରେ  ୩୭.୯, ଟିଟିଲାଗଡ଼ରେ ୩୭.୬, ଭଦ୍ରକ ଓ  ଝାରସୁଗୁଡ଼ାରେ ୩୭.୫, ଯାଜପୁରରେ ୩୭.୨,  ବାରିପଦା, ସୋନପୁର ଓ ଭବାନୀପାଟଣାରେ  ୩୭ ଡିଗ୍ରୀ ରେକର୍ଡ ହୋଇଛି । 

କୃଷି ପାଣିପାଗ ବିଶାରଦ ପ୍ରଫେସର ଡ.  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି। ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ସେଠାରେ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆସନ୍ତା ଦୁଇ ସପ୍ତାହ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । 

ଉପକୂଳ ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ପବନ ବହିବ । ରାତିରେ ପଶ୍ଚିମା ପବନ ବହିବ । ଏଥପାଇଁ ସକାଳୁ  ତାପମାତ୍ରା କମ୍‌ ରହିବ । ୧୨ ତାରିଖ ପରେ ଉପକୂଳ ଓଡ଼ିଶାରେ ମଧ୍ୟାହ୍ନ ଯାଏ ତାତି ସ୍ୱାଭାବିକଠାରୁ ଅଧିକ ରହିବ । ଗଞ୍ଜାମ,  ଗଜପତି, କଳାହାଣ୍ଡି, ବଲାଙ୍ଗିର, ସୋନପୁର,  ଭଳି ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାତି ବଢ଼ିବା  ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ସେ  ଆକଳନ କରିଛନ୍ତି । 

also read...

ଏବେଠାରୁ ଡରାଇଲାଣି ତାତି, ମେ ମାସ ଯାଏଁ ରାଜ୍ୟରେ ଗ୍ରୀଷ୍ମଲହରୀର ଆଲର୍ଟ

ତେବେ ଏଥର ରାଜ୍ୟରେ ଗରମ  ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ସେ କହିଛନ୍ତି ।  ଏପ୍ରିଲ ଓ ଜୁନ୍‌ ମାସରେ ତାପମାତ୍ରା ସ୍ୱାଭାବିକ ରହିବ। ମେ ମାସରେ ତାତି ସ୍ୱାଭାବିକ ବା  ସ୍ୱାଭାବିକଠାରୁ କମ୍‌ ରହିବାର ସମ୍ଭାବନା ରହିଛି । ମଝିରେ ମଝିରେ ବର୍ଷା ହେବା ଯୋଗୁ ତାତି ବଢ଼ିବନି ବୋଲି ସେ କହିଛନ୍ତି । 

ରବିବାର ଭୁବନେଶ୍ୱରରେ ୩୬.୧ ଡିଗ୍ରୀ ଓ କଟକରେ ତାପମାତ୍ରା ୩୪.୨  ଡିଗ୍ରୀ ରହିଥିଲା । ଢେଙ୍କାନାଳରେ ୩୬.୬, ସୁନ୍ଦରଗଡ଼ ଓ ଜଗତ୍‌ସିଂହପୁରରେ ୩୬.୫, ପାରଳାଖେମୁଣ୍ଡିରେ ୩୬.୪, ହୀରାକୁଦରେ  ୩୬.୨, ନବରଙ୍ଗପୁରରେ ୩୫.୮, ଖୋର୍ଦ୍ଧାରେ  ୩୫.୫, କେନ୍ଦ୍ରାପଡ଼ାରେ ୩୫.୪, ତାଳଚେରରେ  ୩୫.୩ ଓ କେନ୍ଦୁଝରରେ ୩୫ ଡିଗ୍ରୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.