ଭୁବନେଶ୍ୱର ୦୨।୦୩ : ଚଳିତବର୍ଷ ପ୍ରଥମଥର ପାଇଁ ତାତି ୩୮ ଡିଗ୍ରୀ ଟପିଛି। ଶନିବାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି। ଏହା ରାଜ୍ୟର ତତଲା ସହର ପାଲଟିଛି। ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି । ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି।
ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ତାତି ୩୮ ଡିଗ୍ରୀ ଟପି ସାରିଲାଣି। ଶନିବାର ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିଛି। ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗୀରରେ ୩୮, ସୋନପୁରରେ ୩୭.୭, ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ଭବାନୀପାଟଣାରେ ୩୭.୨, ହୀରାକୁଦରେ ୩୭.୧, ବୌଦ୍ଧରେ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି।
ଶୁକ୍ରବାର ଝାରସୁଗୁଡ଼ାରେ ଦିନବେଳାର ତାତି ୩୭ ଡିଗ୍ରୀ ଥିଲା। ଶନିବାର ୧ଡିଗ୍ରୀରୁ ଅଧିକ ବଢ଼ିଛି। ସମ୍ବଲପୁରରେ ବି ୧ଡିଗ୍ରୀରୁ ଅଧିକ ବଢ଼ିଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଦିନ ତାତି ୩୪.୨ ଡିଗ୍ରୀ ରହିଛି। ଆସନ୍ତା ୪ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି। ଏବେ ଦେଶର ପଶ୍ଚିମ ଭାଗରୁ ରାଜ୍ୟକୁ ପବନ ଆସୁଛି। ୫ ଓ ୬ ତାରିଖରୁ ଉତ୍ତରାଖଣ୍ଡ ଓ ହିମାଳୟରୁ ପବନ ଆସିବ ।
ଏହା ପ୍ରଭାବରେ ତାତି କମିଯିବ ବୋଲି ସେ ଆକଳନ କରିଛନ୍ତି । ରବିବାର ଝାରସୁଗୁଡ଼ାରେ ତାତି ୩୮ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଉରକେଲା, ସୁନ୍ଦରଗଡ଼, ଟିଟିଲାଗଡ଼, ଢେଙ୍କାନାଳ, ବୌଦ୍ଧ, ଭବାନୀପାଟଣା, ସୋନପୁର ଓ ବଲାଙ୍ଗୀରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି । ୩ ଓ ୪ ତାରିଖରେ ବି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ନବଦାସଙ୍କ ହତ୍ୟା ଘଟଣାକୁ ନେଇ ତେଜିଲା ରାଜନୀତି, ବିଜେପିକୁ ବିଜେଡି-କଂଗ୍ରେସର ଟାର୍ଗେଟ୍