ରାଉରକେଲା: ଅବସର ପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ଏହି ଦୁର୍ବୃତ୍ତ ନିଜ ସହଯୋଗୀଙ୍କ ସହ ମିଶି ବ୍ୟାଙ୍କ୍ ସାମ୍ନାରୁ ବ୍ୟକ୍ତିଙ୍କ ଠାରୁ ଝାମ୍ପି ନେଇଥିଲେ ୫ ଲକ୍ଷ। ହେଲେ ମାସେ କାଳ ଲୁଚିବା ପରେ ଏବେ ପଡ଼ିଲେ ପୋଲିସ ପଞ୍ଝାରେ। ଅବଶ୍ୟ ଏବେବି ଜଣେ ଫେରାର ଅଛି। ପୋଲିସ ସେମାନଙ୍କୁ ଧରିବା ପାଇଁ ଖୋଜ ଜାରି ରଖିଛି।
ସୂଚନା ଅନୁଯାୟୀ, ଗତ ଜାନୁଆରୀ ୯ ତାରିଖରେ ସେକ୍ଟର- ୧୯ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୁଶିଲ ମାଝୀ, ନିଜ ଝିଅ ବାହାଘର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ। ହେଲେ ବ୍ୟାଙ୍କରୁ ନିଜ କାର୍ ପାଖକୁ ଆସିବା ସମୟରେ କଳା ପଲସରରେ ଦୁଇ ଲୁଟେରା ଆସି ତାଙ୍କ ଠାରୁ ଲୁଟି ନେଇଥିଲେ ପାଞ୍ଚ ଲକ୍ଷ ଟଙ୍କା ।
ଘଟଣାକୁ ନେଇ ସେକ୍ଟର-୧୯ରେ ହୋଇଥିଲା ମାମଲା ରୁଜୁ ହୋଇଥିଲା। ଆଉ ମାମଲା ଆଧାରରେ ତଦନ୍ତ କରି ଜଣ ଲୁଟେରାକୁ ଗିରଫ କରିବା ସହ ତା’ଠାରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଛି ରାଉରକେଲା ପୋଲିସ । ଗିରଫ ଲୁଟେରା ରାଜେଶ ଆନଣ୍ଟୋନୀର ଘର ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳର ମଧୁସୂଧନ ମାର୍ଗରେ। ଲୁଟ୍ କରିଥିବା ଅନ୍ୟ ଜଣେ ଏବେବି ଫେରାର ଅଛି ।
ତେବେ ଜଣାପଡ଼ିଛି ଏମାନେ ଏକ ଲୁଟ୍ ଗ୍ୟାଙ୍ଗ ସହ ଜଡ଼ିତ। ଏହି ଲୁଟେରାମାନେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ସହ ଓଡ଼ିଶା ସୀମାନ୍ତ ଜିଲ୍ଲାମାନଙ୍କରେ ବେଶ୍ ସକ୍ରିୟ ଅଛନ୍ତି। ରାଜ୍ୟ ବାହାରେ ରହି ଲୁଟର ପ୍ରକ୍ରିୟା ପ୍ରସ୍ତୁତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୁଟ୍ କରାଯାଉଛି । ଝାଖଖ୍ଣ୍ଡରେ ଏହି ଗ୍ୟାଙ୍ଗର ୩୦ ମାମଲା ଥିବାବେଳେ ଅନ୍ୟ କେଉଁ ରାଜ୍ୟମାନଙ୍କରେ କେତେ ମାମଲା ରୁଜୁ ହୋଇଛି ? ତା’ର ତଦନ୍ତ କରୁଛି ରାଉରକେଲା ପୋଲିସ ।