ରାୟଗଡ଼ା10/03: ରଖେ ହରି ତ ମାରେ କିଏ। ଭାଗ୍ୟ ଭଲ ଥିଲେ ବଡ଼ ବଡ଼ ବିପଦ ବି ଟଳିଯାଏ। ଇଏ ତାର ଜ୍ୱଳନ୍ତ ଉଦାହରଣ। ଭୟଙ୍କର ଦୁର୍ଘଟଣା କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ସୋମବାର ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଏହି ସମୟରେ ହଠାତ୍ ଘଟିଥିଲା ଅଘଟଣ।
ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନ ଦେଇ ଆମ୍ବୁଲାନ୍ସଟି ଆସୁଥିବା ବେଳେ ହଠାତ ଏକ ମାଲବାହୀ ଟ୍ରେନ ଆସି ଗାଡିକୁ ୧୦୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା। କିନ୍ତୁ ବଡ଼ କଥା ହେଉଛି ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ୮ଜଣ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଲବାହୀ ଟ୍ରେନଟି ହଠାତ୍ ବ୍ରେକ୍ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକ ଅଳ୍ପକେ ବଞ୍ଚି ଯାଇଛନ୍ତି।
ତେବେ ଏହି ସ୍ଥାନରେ ଦୁର୍ଘଟଣା ଘଟିବା କିଛି ନୂଆ କଥା ନୁହେଁ , ପୂର୍ବରୁ ୩ଥର ଏମିତି ଦୁର୍ଘଟଣା ଘଟି ସାରିଲାଣି । ଉକ୍ତ ରେଳ ଲାଇନ ଉପରେ ଓଭର ବ୍ରିଜ ନଚେତ ତଳ ବ୍ରିଜ କରିବା ପାଇଁ ରେଳବାଇ ,ସାଂସଦ ଓ ବିଧାୟକ , ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ବାରମ୍ବାର ଲିଖିତ ଦେବାପରେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି ।