ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀରେ ରାଜନୀତିକ ଘଟଣାକ୍ରମ ବଢିବାରେ ଲାଗିଛି । ଦିଲ୍ଲୀରେ ଶାସନରେ ଥିବା ଆମ୍ ଆଦମୀ ପାର୍ଟିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଶୁକ୍ରବାର ଆପ୍ ଛାଡ଼ିଥିବା ସମସ୍ତ ବିଧାୟକ ପଦ୍ମ ଧରିଛନ୍ତି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବା ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆପର ପୂର୍ବତନ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି
ଆପ୍ ଛାଡ଼ି ବିଜେପିରେ ମିଶିଥିବା ବିଧାୟକଙ୍କ ମଧ୍ୟରେ ପୱନ ଶର୍ମା,ଗିରିଶ ସୋନୀ, ରାଜେଶ ରିଷି, ବିଏସ୍ ଜୁନ୍, ଭାବନା ଗୌର, ରୋହିତ ମେହରୌଲିଆ, ମଦନ ଲାଲ ଏବଂ ନରେଶ ଯାଦବ ଅଛନ୍ତି ।
ନିର୍ବାଚନକୁ ଆଉ ୪ ଦିନ ବାକି ଥିବା ବେଳେ ବିଧାୟକଙ୍କ ଦଳ ଛାଡ଼ି ବିଜେପିରେ ସାମିଲ ହେବା ଆପ୍ ପାଇଁ ଚିନ୍ତାର କାରଣ ପାଲଟିଛି । ଦଳ ଛାଡ଼ିଥିବା ବିଧାୟକମାନଙ୍କୁ ଆଗାମୀ ନିର୍ବାଚନ ଲାଗି ଆପ୍ ପକ୍ଷରୁ ଟିକେଟ୍ ମିଳିନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଥମେ ୭ ଜଣ ଏବଂ ପରେ ଆଉ ଜଣେ ଆପ୍ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ ।
ମହରୌଲିର ବିଧାୟକ ନରେଶ ଯାଦବ ମଧ୍ୟ ପାର୍ଟି ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ । ନରେଶ ଯାଦବଙ୍କୁ ପାର୍ଟି ଟିକେଟ୍ ଦେଇଥିଲା, ମାତ୍ର ପରେ ଫେରାଇ ନେଇଥିଲା । କୁରାନକୁ ଅପମାନ ସଂପର୍କିତ ଏକ ମାମଲାରେ ଯାଦବଙ୍କୁ ପଞ୍ଜାବର ଏକ ଅଦାଲତ ଦଣ୍ଡାଦେଶ ଶୁଣାଇଥିଲେ । କିନ୍ତୁ ଉପର ଅଦାଲତ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ନରେଶ ଯାଦବଙ୍କୁ ଟିକେଟ୍ ଦେବାରୁ ଆପ୍କୁ କଂଗ୍ରେସ ଓ ଏଆଇଏମଆଇଏମ ସମାଲୋଚନା କରିଥିଲେ ।