ନୂଆଦିଲ୍ଲୀ ୧।୨: ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଶନିବାର ବଜେଟ ଉପସ୍ଥାପିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରି ଅନେକ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ତାଙ୍କ ମନ୍ତ୍ରିମଣ୍ଡଳ ବଜେଟକୁ ଉଚ୍ଚ ପ୍ରଶଂସା କରୁଛନ୍ତି। ଏଥିରେ ଗରିବ, କୃଷକ, ଶ୍ରମିକ, ମଧ୍ୟମ ବର୍ଗୀୟ ଓ ଛାତ୍ରଙ୍କୁ ଗୁରୁତ୍ୱ ଦିଆଯାଇଥିବାର କୁହାଯାଉଛି। ତେବେ ବଜେଟକୁ ନେଇ ଆସନ୍ତୁ ଜାଣିବା ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତିକ୍ରିୟା କ’ଣ?
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା
ବଜେଟରେ କର୍ଣ୍ଣାଟକକୁ କିଛି ମିଳିନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଖାସ କରି ରାଜ୍ୟ ପାଇଁ ଏହି ବଜେଟ ଅତ୍ୟନ୍ତ ନିରାଶାଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବଜେଟ ଏକ ଅଦୂରଦର୍ଶୀ ବଜେଟ୍ ଓ ବଜେଟରୁ ଆମେ ଅନେକ କିଛି ଆଶା କରିଥିଲୁ ହେଲେ ବଜେଟ ଆମ ଆଶା ପୂରଣ କରିବାରେ ବିଫଳ ହୋଇଛି ବୋଲି ସିଦ୍ଦରମେୟା କହିଛନ୍ତି। ସେ କହିଛନ୍ତି ଯେ ଆମର କନକପୁରାରେ କେବେରୀ ନଦୀ ସେପାରେ ମେକଦାତୁ ଜଳାଶୟ ରହିଛି, ଏହା ସହ ଅପର ଭଦ୍ରା ଜଳ ପ୍ରକଳ୍ପ, ମହାଦଇ ଓ କୃଷ୍ଣା ନଦୀ ଜଳ ସେଚନ ପ୍ରକଳ୍ପ ଭଳି ଯୋଜନାମାନଙ୍କୁ ନେଇ କେନ୍ଦ୍ରୀୟ ବଜେଟରେ କୌଣସି ପ୍ରାବଧାନ ହିଁ ନାହିଁ।
ଏହା ଛଡା ଆମେ ବେଙ୍ଗାଲୁରୁରେ ବାନ୍ୟା ଜଳ ନିଷ୍କାସନ ଓ ଏକ ବିଜନେସ କରିଡର ସ୍ଥାପନା ନିମନ୍ତେ ବଜେଟରେ ଆର୍ଥିକ ଅନୁଦାନ ଲାଗି ନିବେଦନ କରିଥିଲୁ। ହେଲେ ଆମକୁ ଯାହା ମିଳିଛି ତାହା ଏକ ଖାଲି ପାତ୍ର ବୋଲି ସେ କହିଛନ୍ତି। କେନ୍ଦ୍ରରେ ଏବେ ମେଣ୍ଟ ସରକାର ଚାଲିଛି। ରାଜନୈତି କାରଣରୁ ବିହାର ଓ ଆନ୍ଧ୍ରପ୍ରଦେଶକୁ ବିଶେଷ ଅନୁଦାନ ଦିଆଯାଇଛି।
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର
କେନ୍ଦ୍ର ବଜେଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ବଜେଟକୁ ପ୍ରଗତିଶୀଳ ଓ ଭବିଷ୍ୟନ୍ମୁଖୀ ବୋଲି କହିଛନ୍ତି। ଏହି ବଜେଟ ରାଜ୍ୟର ବିକାଶକୁ ଗତି ଦେବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ମଖାନା ଯାହା ପାଇଁ ବିହାର ସାରା ଦେଶରେ ପ୍ରଶିଦ୍ଧ ଏଥି ପାଇଁ ମଖାନା ବୋର୍ଡ ସ୍ଥାପନା ରାଜ୍ୟରେ ପଦ୍ମଫୁଲ ଚାଷକୁ ପ୍ରୋତ୍ସାହିତ କରିବ। ସେହିପରି ଗ୍ରିନଫିଲ୍ମ ଏୟାରପୋର୍ଟ ବିହାରର ଭବିଷ୍ୟତ ଆବଶ୍ୟକତାକୁ ପୂରଣ କରିବ। ଆଇଆଇଟି ପାଟନାର କ୍ଷମତା ବୃଦ୍ଧି ଲାଗି ନିଷ୍ପତ୍ତି ରାଜ୍ୟରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ
୨୦୨୫-୨୬ କେନ୍ଦ୍ର ବଜେଟକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ଏକ ଜନ ସମର୍ଥିତ ଓ ପ୍ରଗତିଶୀଳ ବଜେଟ ବୋଲି କହିଛନ୍ତି। ବଜେଟରେ ମହିଳା, ଗରିବ, ଯୁବକ ଓ ଚାଷୀଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଥିବା ଓ ଏହି ବଜେଟ ଆଗାମୀ ୫ ବର୍ଷରେ ବିକାଶ ନିମନ୍ତେ ୬ ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ବେଜେଟ ଏକ ବ୍ୟାପକ ଓ ସମାବେଶୀ ବ୍ଲୁପ୍ରିଣ୍ଟ। ଏହା ଛଡା ବଜେଟ ଆମ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ମଧ୍ୟମ ବର୍ଗଙ୍କୁ କର ରିହାତି ପ୍ରଦାନ କରୁଛି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ
କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ରେ ତାମିଲନାଡୁକୁ ଧୋକା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ କହିଛନ୍ତି। ସେ କହିଛନ୍ତି ଯେ ଆର୍ଥିକ ସର୍ଭେ, ଉଚ୍ଚଶିକ୍ଷାନୁଷ୍ଠାନଙ୍କ ରାଙ୍କିଙ୍ଗ ଓ ନୀତି ଆୟୋଗଙ୍କ ରିପୋର୍ଟ ଭଳି ସବୁ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ତାମିଲନାଡୁ କୁ ପ୍ରମୁଖ ସ୍ଥାନ ଦିଆଯାଇଛି। ଏହି ସବୁ ରିପୋର୍ଟର ସବୁ ପୃଷ୍ଠାରେ ତାମିଲନାଡୁ ଗତିବିଦ୍ଧିକୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହା ସତ୍ତ୍ୱେ ୨୦୨୫-୨୬ ବଜେରେ ରାଜ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରିଦିଆଯାଇଛି।
କେନ୍ଦ୍ର ବଜେଟର ଆର୍ଥିକ ଆବଣ୍ଟନରେ ରାଜ୍ୟକୁ ସାମାନ୍ୟ ଅଂଶ ମଧ୍ୟ ମିଳି ନାହିଁ। ରାଜ୍ୟର କେନ୍ଦ୍ରୀୟ ପ୍ରକଳ୍ପମାନଙ୍କ ପାଇଁ ଯେପରି ବଜେଟ ହ୍ରାସ କରାଯାଉଛି ତାହା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ମଧ୍ୟ ବଢାଉଛି। କେନ୍ଦ୍ର ସରକାର ଯେଉଁ ପ୍ରକଳ୍ପରେ ନ୍ୟୁନତମ ସବସିଡି ଦେଉଛନ୍ତି ଏଥି ପାଇଁ ରାଜ୍ୟ ଉପରେ ଅତିରିକ୍ତ କଟକଣା ମଧ୍ୟ ଲାଗୁ କରୁଥିବା ସେ ଅଭିଯୋଗ କରିଛନ୍ତି। କେବଳ ବୟାନବାଜୀ ଓ ଭ୍ରମାତ୍ମକ ବୟାନ ମାଧ୍ୟମରେ ଭାରତର ଲୋକଙ୍କ ଧୋକା ଦେବାରେ ବିଜେପିର ନାଟକ ଜାରି ରହିଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ଯଦି ଯୋଜନା ଓ ପାଣ୍ଠି ଘୋଷଣା ସେହି ସବୁ ରାଜ୍ୟଙ୍କ ପାଇଁ କରାଯାଉଛି ଯେଉଁଠି ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି ନଚେତ ଯେଉଁଠି ବିଜେପିର ମେଣ୍ଟ ଅଛି ତେବେ ଏହାକୁ କେନ୍ଦ୍ରୀୟ ବଜେଟ କାହିଁକି କୁହାଯାଉଛି ବୋଲି ଷ୍ଟାଲିନ୍ ପ୍ରସ୍ନ କରିଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ
କେନ୍ଦ୍ର ବଜେଟକୁ ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମଧ୍ୟମବର୍ଗୀୟଙ୍କ ପାଇଁ ଏକ ସ୍ୱପ୍ନିଳ ବଜେଟ ବୋଲି କହିଛନ୍ତି। ଏହା ବ୍ୟବହାର ଯୋଗ୍ୟ ଆୟରେ ଉଲ୍ଲେଖନୀୟ ବୃଦ୍ଧି କରିବ। ଏହି ଖର୍ଚ୍ଚ ଚାହିଦା ବୃଦ୍ଧି କରିବ। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ଋଣ ବୃଦ୍ଧି ଯୋଜନା ଏହି କ୍ଷେତ୍ରକୁ ଲାଭଦାୟକ କରିବ। ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଭାରତର ଷ୍ଟାର୍ଟଅପ ପୁଞ୍ଜି ହେବା ପାଇଁ ମହାରାଷ୍ଟ୍ରର ଲକ୍ଷକୁ ପୁରଣ କରିବ ବୋଲି କହିଛନ୍ତି।