ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବିଦେଶୀ ସହାୟତା ରାଶିକୁ ୫୪୮୩ କୋଟି ଟଙ୍କା ବଜେଟ୍ ଆବଣ୍ଟିତ କରାଯାଇଛି । ତେବେ ଗତ ସଂଶୋଧିତ ସହାୟତା ରାଶି ୫୮୦୬ କୋଟି ଟଙ୍କା ତୁଳନାରେ ସାମାନ୍ୟ କମ ରହିଛି । ଅନ୍ୟପଟେ ବିଦେଶ ମନ୍ତ୍ରଣାଳୟର ମୋଟ ବଜେଟ୍ ୨୦,୫୧୬ କୋଟି ଟଙ୍କା ରଖାଯାଇଛି । ଭାରତର ବିଦେଶ ନୀତିରେ ପଡ଼ୋଶୀ ଏବଂ କୂଟନୈତିକ ସହଯୋଗୀ ଦେଶଙ୍କୁ ଦିଆଯାଉଥିବା ସହାୟତା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ।
ଭୁଟାନ ସବୁଠୁ ଅଧିକ ସହୟତା ପାଇବାକୁ ଥିବା ଦେଶ ହୋଇଛି । ଭାରତ ୨୦୨୫-୨୬ରେ ଭୁଟାନକୁ ୨୧୫୦ କୋଟି ଟଙ୍କା ଆବଣ୍ଟିତ କରିଛି, ଯାହା ଗତ ବର୍ଷର ସଂଶୋଧିତ ରାଶି ୨୫୪୩ କୋଟି ଟଙ୍କାଠାରୁ କମ । ତେବେ ଏବେବି ଭାରତ ଭୁଟାନର ସବୁଠାରୁ ବଡ଼ ସହଯୋଗୀ ହୋଇ ରହିଛି । ଏହି ସହାୟତା ମୁଖ୍ୟତଃ ଭିତ୍ତିଭୂମି, ଜଳବିଦ୍ୟୁତ୍ ପରିଯୋଜନା ଏବଂ ଆର୍ଥିକ ସହଯୋଗ ପାଇଁ ଦିଆଯାଉଛି ।
ରିପୋର୍ଟ ଅନୁସାରେ ମାଲଦ୍ୱୀପ ପାଇଁ ସହୟତା ରାଶିକୁ ୪୭୦ କୋଟି ଟଙ୍କାରୁ ବଢାଇ ୬୦୦ କୋଟି ଟଙ୍କା କରାଯାଇଛି । ଭାରତ ପକ୍ଷରୁ ଦିଆଯାଉଥିବା ସହାୟତରେ ଏହି ବୃଦ୍ଧି ଏଭଳି ସମୟରେ ହୋଇଛି ଯେତେବେଳେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ପୁଣି ଥରେ ମଜଭୁତ କରିବା ପାଇଁ ଉଦ୍ୟମ ଜାରି ରହିଛି । ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ଷମତାକୁ ଆସିବା ପରଠୁ ଚୀନ ପ୍ରତି ତାଙ୍କ ଦୁର୍ବଳତା ବଢିଛି ।
ଭାରତ ଦ୍ୱାରା ଆଫଗାନିସ୍ତାନକୁ ଦିଆଯାଉଥିବା ସହାୟତା ରାଶିକୁ ମଧ୍ୟ ବଢାଯାଇଛି । ଏହି ସହାୟତା ରାଶିକୁ ୫୦ କୋଟି ଟଙ୍କାରୁ ବଢାଇ ୧୦୦ କୋଟି ଟଙ୍କା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଏବେବି ତାଲିବାନ ସରକାରକୁ ଔପଚାରିକ ଭାବେ ମାନ୍ୟତା ଦେଇ ନାହିଁ । କିନ୍ତୁ ମାନବୀୟ ସହାୟତା ଏବଂ ଆର୍ଥିକ ସହଯୋଗ ଜାରି ରଖାଯାଇଛି । ଅନ୍ୟପଟେ ମ୍ୟାଁମାରକୁ ଦିଆଯାଉଥିବା ସହାୟତା ରାଶିକୁ ୪୦୦ କୋଟିରୁ ହ୍ରାସ କରି ୩୫୦ କୋଟି ଟଙ୍କା କରହାଯଆଇଛି । ସେହିପରି ବାଂଲାଦେଶକୁ ଦିଆଯାଉଥିବା ଆର୍ଥିକ ସହାୟତା (୧୨୦ କୋଟି ଟଙ୍କା)ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନେପାଳକୁ ୭୦୦ କୋଟି ଟଙ୍କା, ଶ୍ରୀଲଙ୍କାକୁ ୩୦୦ କୋଟି ଟଙ୍କା, ଆଫ୍ରିକୀୟ ଦେଶଙ୍କୁ ଦିଆଯାଉଥିବା ସହାୟତା ରାଶିକୁ ୨୨୫ କୋଟି ଟଙ୍କା କରାଯାଇଛି ।