ନୂଆଦିଲ୍ଲୀ ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୫-୨୬ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ରେଳବାଇ ପାଇଁ ଆଗାମୀ ଆର୍ଥିକ ବର୍ଷରେ ୨.୫୨ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ଏଥି ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ଟ୍ରେନକୁ ନେଇ ଏକ ଏପରି ଅପଡେଟ୍ ଦେଇଛନ୍ତି ଯାହା ଭାରତର ହଜାର ହଜାର ରେଳ ଯାତ୍ରୀଙ୍କୁ ଖୁସି କରିଦେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବଜେଟରେ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ଅଶ୍ୱିନୀ ବୈଷ୍ଣବ ଶନିବାର କହିଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷର ବଜେଟରେ ରେଳବାଇ ନିମନ୍ତେ ୨.୫୨ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଛଡା ୧୭୫୦୦ ସାଧାରଣ ବଗି, ୨୦୦ ବନ୍ଦେ ଭାରତ ଓ ୧୦୦ ଅମୃତ ଭାରତ ଟ୍ରେନ ନିର୍ମାଣ ଭଳି ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରାଯାଇଛି। ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ ହେବା ପରେ ରେଳ ଭବନରେ ସାମ୍ବାଦିକଙ୍କ ସହ ଆଲୋଚନାରେ ରେଳବାଇ ନିମନ୍ତେ ଆବଣ୍ଟିତ ପ୍ରକଳ୍ପ ଓ ଭାବି ବ୍ୟୟର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ବଜେଟରେ ୪.୬ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ସାମିଲ କରାଯାଇଛି, ଯେଉଁଗୁଡିକ ୪-୫ ବର୍ଷ ମଧ୍ୟରେ ପୂରଣ ହୋଇଯିବ। ଏଥିରେ ନୂଆ ରେଳଲାଇନ ବିଛାଇବା, ଏବେକା ରେଳ ଲାଇନର ଦୋହରୀକରଣ କରିବା, ନୂଆ ନିର୍ମାଣ, ଷ୍ଟେସନମାନଙ୍କର ପୁନର୍ବିକାଶ ଓ ଫ୍ଲାଇ ଓଭର ଏବଂ ଅଣ୍ଡରପାସ୍ ଭଳି କାର୍ଯ୍ୟ ସବୁ ରହିଛି। ସେ କହିଛନ୍ତି ଯେ ରେଳ ଯାତ୍ରାର ବଢୁଥିବା ଚାହିଦାକୁ ନଜରରେ ରଖି ଆଗାମୀ ୨-୩ ବର୍ଷରେ ୧୦୦ ଅମୃତ ଭାରତ, ୫୦ ନମୋ ଭାରତ ଓ ୨୦୦ ବନ୍ଦେ ଭାରତ ଟ୍ରେନ ତିଆରି ହେବ।
ରେଳମନ୍ତ୍ରୀ କହିଛନ୍ତି ଯେ ନୂଆ ଅମୃତ ଭାରତ ଟ୍ରେନଗୁଡିକ ଦ୍ୱାରା ଆମେ କମ ଦୂରତ୍ୱର କେତେକ ସହରାଞ୍ଚଳକୁ ବି ଯୋଡିବାର କାମ କରିବୁ। ଟ୍ରେନରେ ସାଧାରଣ ଶ୍ରେଣୀର ଅଭାବ ସମ୍ପର୍କରେ ପଚରା ଯିବାରୁ ବୈଷ୍ଣବ କହିଛନ୍ତି ଯେ ଆଗାମୀ ବର୍ଷମାନଙ୍କରେ ଏହିପରି ୧୭୫୦୦ ନୂଆ ବଗି ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି।