ନିତିନ ଗଡ଼କରୀଙ୍କ ମନ୍ତ୍ରଣାଳୟକୁ ବଜେଟ୍‌ରେ ସିଂହ ଭାଗ, ଆହୁରି ମଜଭୁତ ହେବ ସଡ଼କ ମାର୍ଗ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ସବୁ ବିଭାଗ ପାଇଁ ଅର୍ଥରାଶି ଆବଣ୍ଟନ କରାଯାଇଛି । ଚଳିତ ବଜେଟରେ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପାଇଁ ୨,୮୭,୩୩୩.୧୬ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଗତ ବଜେଟ୍ ତୁଳନାରେ ଚଳିତ ଥର ୨.୪୧ ପ୍ରତିଶତ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଇଛି । ଅଧିକ ବଜେଟ୍ ଆବଣ୍ଟିତ ହେବା ପରେ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଦେଶରେ ଅନେକ ନୂଆ ହାଇୱେ ଏବଂ ରାସ୍ତା ନିର୍ମାଣ କରିପାରେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍‌ଏଆଇ) ପାଇଁ ଆବଣ୍ଟିତ ବାର୍ଷିକ ରାଶିକୁ ୧,୬୯,୩୭୧ କୋଟି ଟଙ୍କାରୁ ବଢାଇ ୧,୮୭,୮୦୩ କୋଟି ଟଙ୍କା କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏନ୍‌ଏଚ୍‌ଏଆଇର ମୋଟ ଋଣ ୩.୩୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଥିଲା, ଯାହା ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ଶେଷ ସୁଦ୍ଧା ୨.୭୬ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୫-୨୬ ବଜେଟରେ ରାଜମାର୍ଗ ଉନ୍ନୟନର ଋଣକୁ କମ କରିବା ପାଇଁ ଏନ୍‌ଏଚ୍‌ଏଆଇ ଦ୍ୱାରା ଋଣ ନେବାର କୌଣସି ପ୍ରାବଧାନ କରାଯାଇନାହିଁ ।

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ବଜେଟ୍ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ବଜେଟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ୍ ଦେଶର ଅର୍ଥନୀତିକୁ ବଢାଇବ । ସରକାର ସବୁ ଦିଗ ପରି ଚଳିତ ଥର ବି ଭିତ୍ତିଭୂମି ସେକ୍ଟରକୁ ପ୍ରାଥମିକତା ଦେଇଛନ୍ତି । ଏହାଦ୍ୱାରା ରୋଡ୍ ସେକ୍ଟରରେ ଏହାର ଲାଭ ହେବ ।  



  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.