ତୃତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି: ଘୋଷଯାତ୍ରାରେ ରହିବ ନୂତନତ୍ୱ

Published By : Prameya-News7 Bureau | June 21, 2024 IST

News7

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲା ନୀଳଗିରି ରଥଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ନୀଳଗିରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ଠାକୁରମାହାଲ ହେରିଟାରୀ ଟ୍ରଷ୍ଟି ମନୋଜା ମଞ୍ଜରୀ ଦେବୀ, ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ, ତହସିଲଦାର ଦୀପ୍ତିମୟୀ ବେହେରା, ଲୋକସମ୍ପର୍କ ସୂଚନା ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଉପସ୍ଥିତ ଥିଲେ।

ରଥଯାତ୍ରା ପାଇଁ ରଥନିର୍ମାଣ,ଶାନ୍ତିଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ଟ୍ରାଫିକ ସମସ୍ୟା, ପାନୀୟଜଳ, ପରିବହନ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ଅସ୍ଥାୟୀ ଶୌଚାଳୟ ସମେତ ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା। ତେବେ ରଥଦାଣ୍ଡରେ ଯେମିତି ଆମିଷ ରଥଯାତ୍ରା ସମୟରେ ବନ୍ଦ ହେବ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ଚୋରା ମଦକାରବାର ଉପରେ ଉଦବେଗ ପ୍ରକାଶ ପାଇଥିଲା।

ସଠିକ ସମୟରେ ରଥନିର୍ମାଣ ସାରିବା ସହ କିଭଳି ଭକ୍ତିମୟ ପରିବେଶ ଭିତରେ ରଥଯାତ୍ରା ହେବ ଏନେଇ ଅଂଚଳବାସୀଙ୍କ ସହଯୋଗ କାମନା କରାଯାଇଥିଲା। ତେବେ ଚଳିତ ବର୍ଷ ରଥନିର୍ମାଣ ପାଇଁ ୧୨ ଟି ଗଛ କଟାଯାଇଥିବା ବେଳେ ଗତବର୍ଷରେ ବଳକା ୪ଟି ଗଛର ଗଣ୍ଡି ଥିବାବେଳେ ଏତେ ପରିମାଣ କାଠର କିଭଳି ଆଵଶ୍ୟକତା ରହିଛି ଓ ବିଗତ ବର୍ଷ ମାନଙ୍କରେ ପୁରୁଣା କାଠର ହିସାବ ସଠିକ ଠାକୁରମାହାଲ ଦେଇନପାରିବାରୁ ବୈଠକରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଗଭୀର ଉଦବେଗ ପ୍ରକାଶ କରିଥିଲେ।

ସେହିଭଳି ରଥ ପୁରୁଣା କାଠ ଓ ନୂଆକରି ଆସୁଥିବା କାଠର ହିସାବ ଲିଖିତ ଭାବେ ଲେଖିରଖିବାକୁ ବିଧାୟକ ଶ୍ରୀ ଖଟୁଆ ପରାମର୍ଶ ଦେବାସହ ଚଳିତ ଘୋଷଯାତ୍ରା ଏକ ନୂତନ ବିଶେଷତ୍ୱ ଓ ଭକ୍ତିମୟ ପରିବେଶ ଅଞ୍ଚଳବାସୀ ଦେଖିବାକୁ ପାଇବେ ବୋଲି କହିଥିଲେ। ପ୍ରତ୍ୟେକଥର ଭଳି ଚଳିତବର୍ଷ ନୀଳଗିରି ଟ୍ରକ ଏସୋସିଏସନ ଚାନ୍ଦୁଆ ଦେବାସହ ୨୦ ଟି ନୂତନ ଘଣ୍ଟା ପ୍ରଦାନ କରିବେ ବୋଲି କହିଛନ୍ତି। ଏହି ବୈଠକରେ ସେବାୟତ, ମହାରଣା, ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପଦାଧିକାରୀ ଉପସ୍ଥିତ ଥିଲେ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.