କୁକୁଡ଼ା ଫାର୍ମ ପାଇଁ ଗନ୍ଧରେ ଫାଟି ପଡୁଥିଲା ଗାଁ, ସାଂସଦଙ୍କ ହସ୍ତକ୍ଷେପ ପରେ ଆକ୍ସନ ମୋଡ୍‌ରେ ପ୍ରଶାସନ

Published By : Prameya-News7 Bureau | September 20, 2024 IST

News7

ନୀଳଗିରି: ଗାଁ ମଝିରେ ସବୁ ଆଇନ କାନୁନକୁ ଫୁ କରି ହୋଇଥିଲା କୁକୁଡ଼ା ଫାର୍ମ। କୁକୁଡ଼ା ମଳ ଫିଙ୍ଗି ବର୍ଷା କାରଣରୁ ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ବେଳେ ପୂର୍ବରୁ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ୱେ ପ୍ରତିକାର ମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିଲା। ଶେଷରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଗାଁରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଆକ୍ସନ ମୋଡ଼କୁ ଆସିଛନ୍ତି।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଧିନ କାଦୁଆଳି ଶାସନରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ କାଦୁଆଳି ଶାସନରେ ବ୍ରାହ୍ମଣମାନେ ରହୁଥିବା ବେଳେ କୁକୁଡ଼ା ପାଳନ କରିଛନ୍ତି ସେହି ଗ୍ରାମର ଜଣେ ବ୍ୟକ୍ତି। ଘର ଠାରୁ ୫୦୦ ମିଟର ଦୁରରେ କୁକୁଡ଼ା ଫାର୍ମ କରିବାର ନିୟମ ଥିବା ବେଳେ ମାତ୍ର କେଇ ମିଟର ଦୁରରେ ରହିଛି କୁକୁଡ଼ା ଫାର୍ମ। ଫାର୍ମରୁ ବାହାରୁଥିବା କୁକୁଡ଼ା ମଳ ନିକଟରେ ଫିଙ୍ଗୁଥିବା ବେଳେ ବର୍ଷାରେ ଦୁର୍ଗନ୍ଧରେ ରହି ପାରୁନାହାନ୍ତି ଗ୍ରାମବାସୀ। କୁକୁଡ଼ାଙ୍କୁ ମଧ୍ୟ କିଛି ଅଜଣା ରୋଗ ଧରିଲେ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। 

ଗ୍ରାମବାସୀ ବିରୋଧ କରିବା ବେଳକୁ ଫାର୍ମ ମାଲିକ ପାଲଟା ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ଫାର୍ମ କରିବାକୁ କେଉଁ ବିଭାଗୀୟ ଅଧିକାରୀ ତଦନ୍ତ କରି ଅନୁମତି ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ। ଗ୍ରାମବାସୀ ମାନେ ପୂର୍ବରୁ ତହସିଲଦାର, ପୋଲିସ, ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ପରେ କୌଣସି ସୁଫଳ ମିଳିନଥିଲା। 
ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟି ଅଭିଯୋଗ ଦେବା ପରେ ନୀଳଗିରି ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ। ହେଲେ କାର୍ଯ୍ୟନୁଷ୍ଠାନ ହୋଇ ନଥିଲା। ପୁଣି ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ପରିବେଶ ବିଭାଗରୁ କିଛି ରିପୋର୍ଟ ଆସିନି ତେଣୁ ହାତ ଟେକିଦେଇଥିବା କହିଥିଲେ। ପରେ ପରିବେଶ ବିଭାଗକୁ ରିପୋର୍ଟ ପ୍ରଦାନ କରିଥିବା କହିଥିଲେ।

ତେବେ ଗ୍ରାମବାସୀମାନେ ପୁଣି ସାଂସଦଙ୍କୁ ଭେଟିବା ପରେ ସେ ନିଜେ ଉପଜିଲ୍ଲାପାଳ, ତହସିଲଦାର, ପରିବେଶ ବିଭାଗର ଅଧିକାରୀ, ବରମପୁର ଥାନା ଅଧିକାରୀଙ୍କ ସହିତ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପ୍ରତ୍ୟେକ ଲୋକଙ୍କୁ ଘରକୁ ଯାଇ ଦେଖିବା ବେଳକୁ ମାଛି ଭଣଭଣ ହେଉଥିବା ଦେଖିବାକୁ ପାଇଥିଲେ। ଏଭଳି ଦୟନୀୟ ଅବସ୍ଥା ଦେଖି ସାଂସଦ ଶ୍ରୀ ଷଡ଼ଙ୍ଗୀ ଅଧିକାରୀଙ୍କୁ ତାଗିଦ କରିଥିଲେ।

ବେଆଇନ କୁକୁଡ଼ା ଫାର୍ମ କରୁଥିବା ବ୍ୟକ୍ତିଙ୍କ ପକ୍ଷ ଛାଡି ଲୋକମାନଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଗାଁରେ କିଛି ସମୟ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗାଁରେ ସ୍ଵାସ୍ଥ୍ୟକର ପରିବେଶ ପାଇଁ ଶୀଘ୍ର କୁକୁଡ଼ା ଫାର୍ମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଯଦି ବିଚ୍ୟୁତି ଘଟେ ତାହେଲେ ନୋଟିସ ପ୍ରଦାନ କରାଯାଇ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.