ପୁରୀ ୨୧।୫: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପୁରୀ ଲିଙ୍କ୍ର ସବୁ ଦିଗକୁ ନେଇ ଖୋଳତାଡ଼ ଜାରି ରହିଛି । ଜ୍ୟୋତି ମାଲହୋତ୍ରାଙ୍କ ପୁରୀ ଲିଙ୍କ୍କୁ ନେଇ ଓଡ଼ିଆ ୟୁଟ୍ୟୁବରଙ୍କୁ ଜେରା ଜାରି ରହିଛି । ପଞ୍ଚମ ଦିନରେ ପୋଲିସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରି ରହିଛି ବୋଲି ପୁରୀ ଏସ୍ପି ବିନୀତ ଅଗ୍ରୱାଲ କହିଛନ୍ତି ।
ପୁରୀ ୟୁଟ୍ୟୁବରଙ୍କ ବିଭିନ୍ନ ଆକାଉଣ୍ଟ ଏବଂ ଅର୍ଥ ନେଣଦେଣର ତଥ୍ୟକୁ ପୋଲିସ ଅନୁସନ୍ଧାନ କରୁଛି । ତଦନ୍ତ ଜାରି ରହିଥିବାରୁ ଜ୍ୟୋତି ମାଲହୋତ୍ରାଙ୍କ ସହିତ ତାଙ୍କର କ'ଣ ନିର୍ଦ୍ଦିଷ୍ଟ ଲିଙ୍କ୍ ରହିଛି ତାହା ଖୁବ୍ଶୀଘ୍ର ସ୍ପଷ୍ଟ ହେବ ।
୨୦୨୪ ସେପ୍ଟେମ୍ବର ୨୧ରେ ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବା ବେଳେ ଦୁଇ ଦିନ ଧରି ବଡ଼ଦାଣ୍ଡ ମାର୍କେଟ୍ ଚକ ସ୍ଥିତ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରହିଥିଲେ । ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ରେଜିଷ୍ଟ୍ରରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୨୪ ସେପ୍ଟେମ୍ବର ୨୧ରେ ଦିନ ୧୨ଟାରେ ହୋଟେଲରେ ଚେକ୍ ଇନ୍ କରିଥିଲେ ଜ୍ୟୋତି ମାଲହୋତ୍ରା । ଜ୍ୟୋତିଙ୍କ ସାଥିରେ ଥିଲେ ଜଣେ ବୟସ୍କା ମହିଳା । ଯାହାଙ୍କ ନାଁ ରେଜିଷ୍ଟରରେ ଚନ୍ଦ୍ରକାନ୍ତା ବୋଲି ଲେଖା ହୋଇଥିଲା । ଉଭୟ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ୨୦୩ ନମ୍ବର ରୁମ୍ରେ ରହିଥିଲେ । ସଂପୃକ୍ତ ବୟସ୍କା ମହିଳାଙ୍କୁ ନିଜ ମା’ ବୋଲି କହିଥିଲେ ଜ୍ୟୋତି ମାଲହୋତ୍ରା । ସେତେବେଳେ ଜ୍ୟୋତି ମାଲହୋତ୍ରାଙ୍କ କାର୍ଯ୍ୟକଳାପକୁ ନେଇ କୌଣସି ସନ୍ଦେହ ହୋଇନଥିବା କହିଛନ୍ତି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ମ୍ୟାନେଜର । ତେବେ ଜ୍ୟୋତି ମାଲହୋତ୍ରା ହୋଟେଲରେ ଥିବା ସମୟରେ ତାଙ୍କର ବନ୍ଧୁ ତଥା ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି ହୋଟେଲକୁ ଆସିନଥିବା କହିଛନ୍ତି ଭକ୍ତ ନିବାସ ମ୍ୟାନେଜର । ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରୁମ୍ ବୁକ୍ କରିଥିବା ଜ୍ୟୋତି ମାଲହୋତ୍ରା ହଠାତ ତା’ ପୂର୍ବ ଦିନ ଅର୍ଥାତ୍ ୨୨ ତାରିଖ ସଂଧ୍ୟାରେ ହୋଟେଲରୁ ଚେକ୍ ଆଉଟ୍ କରିଥିଲେ ।
You Can Read: