ନୂଆଦିଲ୍ଲୀ ୦୪।୦୯: ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ୍ । ଆଇପିଏଲ୍ ୨୦୨୫ରେ ମିଳିଲା ବଡ ଦାୟିତ୍ବ । ସେ ପୁଣି ସମ୍ଭାଳିଲେ ହେଡ୍କୋଚ୍ ପଦ । ସେ ରାଜସ୍ଥାନ ରୟାଲ୍ସ ସହିତ ଯୋଡି ହେବେ । ନିକଟରେ ଫ୍ରାଞ୍ଚାଇଜ୍ ସହିତ ଡିଲ୍ ସାଇନ କରିଛନ୍ତି ଦ୍ରାବିଡ । ସେ ଆଗାମୀ ଅକ୍ସନରେ ପ୍ଲେୟରଙ୍କୁ ରିଟେନ୍ ନେଇ ପ୍ରାଥମିକ ଭାବେ କଥା ହୋଇଛନ୍ତି ।
ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଦ୍ରାବିଡଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି । ରାଜସ୍ଥାନ ରୟାଲ୍ସ ସହିତ ଦ୍ରାବିଡଙ୍କର ଏକ ଲମ୍ବା ଇତିହାସ ରହିଛି । ସେ ଆଇପିଏଲ୍ ୨୦୧୨ ଏବଂ ୨୦୧୩ରେ ରାଜସ୍ଥାନର ଅଧିନାୟକ ଥିଲେ । ଏହାବ୍ୟତୀତ ୨୦୧୪ ଏବଂ ୨୦୧୫ ଆଇପିଏଲ୍ ସିଜିନରେ ଟିମ୍ର ନିର୍ଦ୍ଦେଶକ ଏବଂ ମେଣ୍ଟର ଭାବେ କାମ କରିଥିଲେ । ୨୦୧୬ରେ ଦ୍ରାବିଡ଼ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଚାଲି ଯାଇଥିଲେ ।
୨୦୧୯ରେ ରାହୁଲ ଦ୍ରାବିଡ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଦାୟିତ୍ବ ସମ୍ଭାଳିଥିଲେ । ୨୦୨୧ରେ ସେ ଭାରତୀୟ କ୍ରିକେଟ୍ ଟିମ୍ର ହେଡ କୋଚ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦ୍ରାବିଡ ଟିମ୍ ଇଣ୍ଡିଆକୁ WTC ଫାଇନାଲ ୨୦୨୧ ଏବଂ ୨୦୨୩, ODI ବିଶ୍ୱକପ ୨୦୨୩ ଫାଇନାଲକୁ ନେଇଥିଲେ ।
ଏହାବ୍ୟତୀତ ଜୁନ୍ ୨୯ ୨୦୨୪ରେ ତାଙ୍କ କୋଚିଂ ଅଧୀନରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ଚାମ୍ପିଅନ୍ ହୋଇଥିଲା । ରିପୋର୍ଟ ଅନୁଯାୟୀ ରାଜସ୍ଥାନ ରୟାଲ୍ସକୁ ଫେରୁଛନ୍ତି ଟିମ୍ ଇଣ୍ଡିଆର ପୂର୍ବ ବ୍ୟାଟ୍ସମ୍ୟାନ ବିକ୍ରମ ରାଠୋର । ସେ ଦ୍ରାବିଡଙ୍କ ଆସିଷ୍ଟାଣ୍ଟ କୋଚ୍ ହୋଇପାରନ୍ତି । ଭାରତର ପୂର୍ବତନ ଚୟନକର୍ତ୍ତା ରାଠୋର ୨୦୧୯ରେ ଭାରତର ବ୍ୟାଟିଂ ପ୍ରଶିକ୍ଷକ ହେବା ପୂର୍ବରୁ ଏନସିଏରେ ଦ୍ରାବିଡଙ୍କ କୋଚିଂ ଷ୍ଟାଫ୍ର ଅଂଶ ଥିଲେ।
ରିପୋର୍ଟରେ ଦର୍ଶାଯାଇଛି ଯେ ଦ୍ରାବିଡ ଆଇପିଏଲରେ ରାଜସ୍ଥାନ ରୟାଲ୍ସର କୋଚିଂ ଦାୟିତ୍ବ ଗ୍ରହଣ କରିବେ । ୨୦୨୧ ପରଠାରୁ ଦଳର ନିର୍ଦ୍ଦେଶକ ଥିବା କୁମାର ସାଙ୍ଗାକାରା ଫ୍ରାଞ୍ଚାଇଜ୍ ସହିତ ରହିବେ ଏବଂ ଅନ୍ୟ ଲିଗରେ ସେମାନଙ୍କ ଟିମର ଯତ୍ନ ନେବେ ।
ତେବେ ୨୦୦୮ରୁ ରାଜସ୍ଥାନ ଟାଇଟଲ୍ ଅପେକ୍ଷାରେ ରହିଛି । ଆଇପିଏଲର ଉଦଘାଟନୀ ସିଜିନଠାରୁ ରାଜସ୍ଥାନ ରୟାଲ୍ସ ଟାଇଟଲ୍ ଜିତିବାରେ ହୋଇନି ସକ୍ଷମ । ୨୦୨୨ରେ ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ଦଳ ରନର୍ ଅପ୍ ହୋଇଥିଲା । ସେହି ସିଜିନରେ ଗୁଜୁରାଟ ଟାଇଟାନ୍ସ ଟାଇଟଲ୍ ହାତେଇଥିଲା । ୨୦୨୩ରେ ରାଜସ୍ଥାନ ଟିମ୍ ପ୍ଲେଅଫ୍ରେ ସ୍ଥାନ ପକ୍କା କରିବାରେ ହୋଇଥିଲା ବିଫଳ ।
ସିଜିନରେ ବହୁତ ଭଲ ଆରମ୍ଭ ସତ୍ତ୍ବେ ଟିମ୍ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଥିଲା । ୨୦୨୪ରେ ରାଜସ୍ଥାନ ଟିମ୍ କ୍ୱାଲିଫାୟର୍ ୨ରେ ହିଁ ହୋଇଥିଲା ବାହାର । ତେବେ ଚଳିତ ସିଜିନ୍ରେ ଦ୍ରାବିଡଙ୍କ କୋଚିଂରେ ଟ୍ରଫି ହାତେଇବା ନେଇ ରହିଛି ଆଶା ।