ଓଡ଼ିଶା ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ଲାଇନ୍ କାମକୁ ଗୁରୁତ୍ବ

Published By : Prameya-News7 Bureau | June 30, 2024 IST

ଭୁବନେଶ୍ୱର: ଓଡ଼ିଶା ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରବିବାର ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସମୀକ୍ଷା କରିଛନ୍ତି | ଏହି ବୈଠକରେ ସେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ତଥା ଅଞ୍ଚଳରେ ଭିତ୍ତିଭୂମି ବିକାଶ ଏବଂ ନିର୍ମାଣ କାର୍ଯ୍ୟରେ ଉପୁଜୁଥିବା ପ୍ରମୁଖ ପ୍ରତିବନ୍ଧକର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ | ବିଶେଷ କରି ଜମି ଅଧିଗ୍ରହଣ, ଜଙ୍ଗଲ ସମସ୍ୟା ଏବଂ ଆଇନ ଏବଂ ଶୃଙ୍ଖଳା ଭଳି ସମସ୍ୟାର ସମାଧାନ ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ |

ତେବେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନର ଶୀଘ୍ର ସମାପ୍ତି ପାଇଁ ଟନେଲ୍ ଗୁଡିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବା ନେଇ ସୂଚନା ଦେଇଛନ୍ତ ଅଶ୍ବିନୀ ବୈଷ୍ଣବ।  ପ୍ରାୟ ସାତ କିଲୋମିଟର ଲମ୍ବର ପ୍ରମୁଖ ଟନେଲ ସହିତ ମାର୍ଗରେ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯିବ, ଯାହାଫଳରେ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯିବ | ଏହା ବ୍ୟତୀତ ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ଉଭୟ ପାର୍ଶ୍ୱରୁ, ଯଥା ତାଳଚେର ପାର୍ଶ୍ୱ ଏବଂ ବିମଳାଗଡ଼ ପାର୍ଶ୍ୱରୁ ସମ୍ପାଦନ କରାଯିବାକୁ ଏହି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି | 

ଏହା ବ୍ୟତୀତ ରେଳ ମନ୍ତ୍ରଣାଳୟ ନିକଟ ଭବିଷ୍ୟତରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଏକ ସମୀକ୍ଷା ବୈଠକ କରି ରାଜ୍ୟରେ ଚାଲୁରହିଥିବା ପ୍ରତ୍ୟକ ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବାକୁ ରେଳ ମନ୍ତ୍ରୀ ପ୍ରକାଶ କରିଛନ୍ତି | ଏଗୁଡ଼ିକ ବ୍ୟତୀତ, ଅମୃତ ଷ୍ଟେସନ ଗୁଡିକର ପୁନର୍ବିକାଶ କାର୍ଯ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ସମୀକ୍ଷା କରାଯିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.