କେବେ ଖୋଲିବ ଝୁଲା ପୋଲ ? ପର୍ଯ୍ୟଟକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

Published By : Prameya-News7 Bureau | July 02, 2024 IST

ରାୟଗଡା ୨/୭: ନିର୍ମାଣର ଦୀର୍ଘ ବର୍ଷ ପରେ ବି କାମରେ ଆସୁନି ଝୁଲା ପୋଲ ।୨ ବର୍ଷ ପୂର୍ବରୁ  ବିପଦସଙ୍କୁଳ ଦର୍ଶାଇ ପୋଲକୁ ସିଲ୍‌ କରିଦେଇଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ପୋଲର ସ୍ଥାୟୀତ୍ବ, ଏକ ସମୟରେ କେତେ ସଂଖ୍ୟକ ପର୍ଯ୍ୟଟକ ଯାତାୟତ କରିପାରିବେ,ପୋଲର ତାରବାଡ, ସୁରକ୍ଷା ପ୍ଲେଟ ଓ ୨ ପାର୍ଶ୍ବରେ ଥିବା ପିଲର୍‌ର ଟିକିନିଖି ଭାବେ ବିଶେଷଜ୍ଞ ଟିମ୍‌ ଯାଞ୍ଚ କରିବେ ବୋଲି କହିଥିଲା ପ୍ରଶାସନ । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ ଝୁଲା ପୋଲ ସିଲ୍‌ ହେବାର ୨ ବର୍ଷ ବିତିଗଲାଣି ଏଯାଏ କୌଣସି ପଦକ୍ଷେପ ନିଆଯାଇନି ।

ଗୁଗଲ ମ୍ୟାପରେ ସର୍ଚ୍ଚ କଲେ ଓଡ଼ିଶାର ଦ୍ବିତୀୟ ଝୁଲାପୋଲ ଭାବରେ ରାୟଗଡା ଜିଲ୍ଲାର ଝୁଲା ପୋଲ ନାଁ ରହିଛି । ଓଡ଼ିଶା ତଥା ବାହାର ରାଜ୍ୟ ଆନ୍ଧ୍ର,ତେଲେଙ୍ଗାନା ସହ ଛତିଶଗଡରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏବେ ପ୍ରଶାସନ ସିଲ୍‌ କରିଥିବାରୁ ପର୍ଯ୍ୟଟକ ନିରାଶ ହେଉଛନ୍ତି । ପୋଲ ନିର୍ମାଣ ହେବାର ୧୩ ବର୍ଷ ପରେ ବି ମରାମତି ଓ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲର ଅନେକ ଉପକରଣରେ ଜଙ୍କ୍‌ ଲାଗିଯାଇଥିବାବେଳେ ନାଗାବଳୀ ନଦୀ କୂଳ ଖାଉଥିବାରୁ ପିଲର୍‌ ପାଇଁ ବିପଦ ହୋଇଛି । ୨୦୧୧ ମସିହା ନଭେମ୍ବର ମାସରେ ଝୁଲା ପୋଲର ନିର୍ମାଣ କାମ ଆରମ୍ଭ ହୋଇ ୨୦୧୨ ମାର୍ଚ୍ଚରେ ସଂପୂର୍ଣ୍ଣ ହୋଇଥିଲା । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.