ସେନ୍ ନଦୀରେ ଐତିହାସିକ ପରେଡ୍; ଶହେ ବର୍ଷ ପ୍ରତୀକ୍ଷା ପରେ ପ୍ୟାରିସରେ ବାଜିଲା ଅଲିମ୍ପିକ୍ସ ବିଗୁଲ

Published By : Prameya-News7 Bureau | July 27, 2024 IST

ପ୍ୟାରିସ, ୨୭।୭: ଶହେ ବର୍ଷ ପ୍ରତୀକ୍ଷାର ଅନ୍ତ । ବାଜିଲା ବିଗୁଲ, ଆରମ୍ଭ ହେଲା ଅଲିମ୍ପିକ୍ସ କ୍ରୀଡ଼ା । ପ୍ରାଚ୍ୟୁର୍ଯ୍ୟ ଭରା ପ୍ୟାରିସ ନଗରୀରେ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ କ୍ରୀଡ଼ାର ୩୩ତମ ସଂସ୍କରଣ ।  ସେନ୍ ନଦୀ ଗର୍ଭରେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଉଦ୍‌ଘାଟନୀ  ଉତ୍ସବ ଆୟୋଜିତ ହୋଇଥିଲା । ୨୦୬ ରାଷ୍ଟ୍ରର  ୭୦୦୦ କ୍ରୀଡ଼ାବିତ ଡଙ୍ଗା ପରେଡରେ ଛଅ କିଲୋ ମିଟର ଯାତ୍ରା କରିଥିଲେ । ଏଥିପାଇଁ ୮୫ଟି ବଡ଼  ବଡ଼ ଡଙ୍ଗା ନିୟୋଜିତ ହୋଇଥିଲା । ଅଷ୍ଟ୍ରେର୍ଲିଜ   ବ୍ରିଜ୍‌ (ପୋଲ) ପାଖରୁ ଆରମ୍ଭ ହୋଇଥିଲା   ଉଦ୍‌ଘାଟନୀ ଉତ୍ସବ । ପରେଡ୍‌ ଶେଷରେ ୧୬ଟି ପୋଲ ଅତିକ୍ରମ କରି ଆଇଫିଲ ଟାୱାର ନିକଟରେ  ଶେଷ ହୋଇଛି । 

ରଙ୍ଗାରଙ୍ଗ ଆଲୋକମାଳା,   ନଦୀ ଗର୍ଭରେ ଜଳ ଫୁତ୍‌କାର ଏବଂ ଆତସବାଜି  ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଲା ବିଶ୍ୱକୁ  ପ୍ରେମଭରା ଶାନ୍ତିର ବାର୍ତ୍ତା ଏବଂ ପ୍ରଦର୍ଶିତ  ହୋଇଥିଲା ଫ୍ରାନ୍ସର କଳା, ସଂସ୍କୃତି ଓ  ଐତିହ୍ୟର ଛବି । ୩ ହଜାର କଳାକାର ଏଥିରେ  ଭାଗ ନେଇଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ କ୍ରୀଡ଼ା ଶୁଭାରମ୍ଭ ଘୋଷଣା କରିଥିଲେ । ଆଇଫିଲ ଟାୱାର ନିକଟରେ  ଶେଷରେ ଉତ୍ସବ ସମାପିତ ହୋଇଥିଲା ।  ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟର ସଭାପତି  ଥୋମାସ ବାକ୍‌ ଏବଂ ୮୦ଟିରୁ ଊଦ୍ଧ୍ୱର୍ ରାଷ୍ଟ୍ରର ମୁଖ୍ୟମାନେ ଉତ୍ସବରେ ଯୋଗ ଦେଇଥିଲେ । ୧୦୦ ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ  କ୍ରୀଡ଼ା ଫେରିଛି । ପୂର୍ବରୁ ଏଠାରେ ୧୯୦୦ ଓ  ୧୯୨୪ରେ ଦୁଇ କ୍ରୀଡ଼ା ଆୟୋଜିତ ହୋଇଥିଲା ।  

ପ୍ୟାରିସ କ୍ରୀଡ଼ାରେ ୨୦୬ ରାଷ୍ଟ୍ରରୁ ୧୦,୭୧୪ କ୍ରୀଡ଼ାବିତ ୩୨ଟି କ୍ରୀଡ଼ାର ୩୨୮ଟି ଇଭେଣ୍ଟରେ  ଅଂଶ ଗ୍ରହଣ କରିଛନ୍ତି । କ୍ରୀଡ଼ା ଅଗଷ୍ଟ ୧୧ ତାରିଖରେ ଉଦ୍‌ଯାପିତ ହେବ । ୧୧୭ ଜଣିଆ   ଭାରତୀୟ ଦଳ ଅଲିମ୍ପିକ୍ସରେ ଭାଗ ନେଇଛି । କିନ୍ତୁ  ଆଜି କ୍ରୀଡ଼ାବିତ ଓ ଅଫିସିଆଲମାନଙ୍କୁ ନେଇ  ୭୮ ଜଣ ପରେଡରେ ସାମିଲ ହୋଇଥିଲେ । ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଏବଂ   ଟେବୁଲ ଟେନିସ ତାରକା ଶରତ କମଲ ଦଳର   ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିଥିଲେ ।

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.