ସମ୍ବିଧାନ ସଂଶୋଧନ କରି ପ୍ରଥମ ଥର ଦକ୍ଷିଣ କୋରିଆକୁ ‘ଶତ୍ରୁରାଷ୍ଟ୍ର’ ଘୋଷଣା କଲା ଉତ୍ତର କୋରିଆ

Published By : Prameya-News7 Bureau | October 17, 2024 IST

ସିଓଲ ୧୭।୧୦: ଉତ୍ତରକୋରିଆ ଗୁରୁବାର ନିଜ ସମ୍ବିଧାନରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏଥିରେ ପଡୋଶୀ ଦକ୍ଷିଣ କୋରିଆକୁ ପ୍ରଥମ ଥର ‘ଶତ୍ରୁ ଦେଶ’ ବୋଲି ଘୋଷଣା କରିଛି। ଚଳିତବର୍ଷ ପ୍ରାରମ୍ଭରେ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ ଘୋଷଣା କରିଥିବା ଆଇନ ପରିବର୍ତ୍ତନର ଏହା ପ୍ରଥମ ପୁଷ୍ଟି ବୋଲି କୁହାଯାଉଛି। ଉତ୍ତର କୋରିଆ ଏପରି ଏକ ସମୟରେ ସମ୍ବିଧାନ ସଂଶୋଧନ କରିଛି, ଯେତେବେଳେ ଉଭୟ କୋରିଆ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। 

ମଙ୍ଗଳବାର ଦକ୍ଷିଣ କୋରିଆ ସେନା ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ସେନା ସଡକ ଓ ରେଳ ଲାଇନଗୁଡିକୁ ନଷ୍ଟ କରିବା ପାଇଁ ବିସ୍ଫୋରକ ବ୍ୟବହାର କରୁଥିବାର ଦେଖାଯାଇଥିଲା। ଏହି ରେଳ ଓ ସଡ଼କ ମାର୍ଗଗୁଡିକ ଅତୀତରେ  ଦୁଇ କୋରିଆଙ୍କ ସହଯୋଗର ପ୍ରତୀକ ଥିଲା। କିମ୍ ଜୋଙ୍ଗ ଉନ ଜାନୁୟାରୀରେ ଦେଇଥିବା ଭାଷଣ ପରେ ଏହି କାମ କରାଯାଇଛି। ଯେଉଁଥିରେ କିମ ଜୋଙ୍ଗ ଦକ୍ଷିଣ କୋରିଆକୁ ମୁଖ୍ୟ ଶତ୍ରୁ ଘୋଷଣା କରିବା ସହ ଉଭୟ କୋରିଆର ପୁନର୍ମିଳନ ଲାଗି କୌଣସି ପ୍ରକାରର ସମ୍ଭାବନାକୁ ଅସ୍ୱୀକାର କରିଦେଇଥିଲେ। 

ଉତ୍ତରକୋରିଆ ସରକାରୀ ଗଣମାଧ୍ୟମ କେସିଏନଏ ଅନୁସାରେ ପ୍ରମୁଖ ଅନ୍ତରକୋରିଆ ସଡ଼କ ଓ ରେଳମାର୍ଗ ଗୁଡିକୁ ବିସ୍ଫୋରଣ ମାଧ୍ୟମରେ ସମ୍ପୂର୍ଣ୍ଣ ଅବରୋଧ କରିଦିଆଯାଇଛି। ଏହା ଡିପିଆରକେ ସମ୍ବିଧାନର ଆବଶ୍ୟକତାକୁ ଧ୍ୟାନରେ ରଖି ନିଆଯାଇଥିବା ଅପରିହାର୍ଯ୍ୟ ପଦକ୍ଷେପ, ଯାହା ଆରଓକେକୁ ଏକ ଶତ୍ରୁ ରାଜ୍ୟ ରୂପେ ପରିଭାଷିତ କରୁଛି ବୋଲି କୁହାଯାଇଛି। ଏହି ଘଟଣାକ୍ରମ ଉତ୍ତର କୋରିଆ ସୁପ୍ରିମ ପ୍ୟୁପିଲସ୍ ଆସେମ୍ବ୍ଲିରେ ଏକ ବୈଠକ ପରେ ହୋଇଛି। ତେବେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନର ବିବରଣୀକୁ ସ୍ପଷ୍ଟ ରୂରେ ଘୋଷଣା କରି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.