ବିଦେଶରେ ବସିଥିବା ଲୋକେ ଚଳାଉଛନ୍ତି ଖଡଗେଙ୍କ ସୋସିଆଲ ମିଡିଆ ଆକାଉଣ୍ଟ : BJP

Published By : Prameya-News7 Bureau | October 17, 2024 IST

ବେଙ୍ଗାଲୁରୁ୧୭।୧୦: କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ୍ ମିଡିଆର ସଞ୍ଚାଳନ ବିଦେଶରେ ବସିଥିବା ଲୋକଙ୍କ ଦ୍ୱାରା କରାଯାଉଛି। ଏପରି ଗୁରୁତର ଅଭିଯୋଗ ଆଣିଛି ବିଜେପି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମରେ ଭେରିଫାଏଡ ଫେସବୁକ୍ ପେଜ୍ ର ଉଦାହରଣ ଦେଇ କର୍ଣ୍ଣାଟକ ବିଜେପି ଗୁରୁବାର ଏହି ଅଭିଯୋଗ ଆଣିଛି।  ତେବେ ବିଜେପିର ଏହି ଅଭିଯୋଗକୁ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହି ଫେସବୁକ୍ ପେଜ ନକଲୀ ଓ ଏହାକୁ ହଟାଇବା ପାଇଁ ଫେସବୁକ୍‌କୁ କୁହାଯାଇଛି।


ଏହି ମାମଲାରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ଏକ୍ସରେ ଏକ ପୋଷ୍ଟ କରିଛି। ଏଥିରେ ୱାକଅଫ ଜମି ଅପହରଣ ମାମଲାରେ ଚର୍ଚ୍ଚାକୁ ଆସିଥିବା ମଲ୍ଲିକାର୍ଜୁନ ଖଡଗେଙ୍କ ଇଣ୍ଟରନେଟ୍ ମିଡିଆର ସଞ୍ଚାଳନ ଏବେ ବିଦେଶରେ ବସିଥିବା ଲୋକଙ୍କ ଦ୍ୱାରା କରାଯାଉଥିବା ଉଲ୍ଲେଖ ରହିଛି। ଏଣୁ ଆମେ କଂଗ୍ରେସର ବିଭାଜନକାରୀ ଜାତି ଆଧାରିତ ରାଜନୀତି ପଛରେ ଲୁଚି ରହିଥିବା ବିଦେଶୀ ପ୍ରଭାବ ସମ୍ପର୍କରେ ଲୋକଙ୍କୁ ସତର୍କ କରୁଛୁ ବୋଲି ବିଜେପି କହିଛି।  


ପୋଷ୍ଟରେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଥିବା ଫେସବୁକ୍ ପେଜରୁ ‘ପେଜ ସୂତନା’ର ସ୍କ୍ରିନସଟ୍ ସେୟାର କରି ବିଜେପି ପଚାରିଛି ଯେ ‘ନିଜ ଲୋକଙ୍କ ଅପେକ୍ଷା ବିଦେଶୀଙ୍କ ଉପରେ ଏତେ ଭରସା କାହିଁକି? ଭାରତ ଆପଣଙ୍କୁ ଏତେ କିଛି ଦେଇଛି, ତଥାପି ଏହି ବିଶ୍ୱାସଘାତ କାହିଁକି’? ଏହି ପୋଷ୍ଟକୁ ନେଇ ପ୍ରିୟାଙ୍କ ଖଡଗେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଭାରତର ଇତିହାସରେ ସବୁଠୁ ପ୍ରଭାବଶାଳୀ ଗୃହମନ୍ତ୍ରୀ ଦାବି କରୁଥିବା ସତ୍ତ୍ୱେ ବିଜେପି ନିଶ୍ଚିତ ହୋଇ ପାରୁନି ବିରୋଧୀ ଦଳ  ସଭାପତିଙ୍କ ଆକାଉଣ୍ଟ ଅସଲି କି ନକଲୀ। କଂଗ୍ରେସ ସଭାପତିଙ୍କ ବିରୋଧରେ ଇଣ୍ଟରନେଟ୍ ମିଡିଆରେ ଦୁର୍ଭାବନା ବ୍ୟାପ୍ତ କରାଯାଉଛି। 


ସେ କଂଗ୍ରେସ ସଭାପତିଙ୍କ ଏକ୍ସ ଆକାଉଣ୍ଟ ଓ ହ୍ୱାଟସ୍ ଆପ ଚ୍ୟାନେଲର ଲିଙ୍କ୍ ସେୟାର କରିଛନ୍ତି। କହିଛନ୍ତି ଖଡଗେଙ୍କର କେବଳ ଦୁଇଟି ଅଧିକାରୀକ ଇଣ୍ଟରନେଟ୍ ମିଡିଆ ଆକାଉଣ୍ଟ ଅଛି। ପ୍ରିୟାଙ୍କ କହିଛନ୍ତି ଆମେ ଜାଣି ନାହୁଁ ଏହା ପଛରେ କେଉଁମାନେ ଅଛନ୍ତି। ଏଣୁ ଆମେ ଅଧିକାରୀକ ରୂପେ ଫେସବୁକ୍ ରୁ ଏହି ପେଜକୁ ହଟାଇବା ପାଇଁ ଅନୁରୋଧ କରିଛୁ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.