ଦିନେ ବିଷ୍ଣୋଇ ଗ୍ୟାଙ୍ଗର ପ୍ରତ୍ୟର୍ପଣ ଚାହୁଁଥିଲା ଭାରତ, କାନାଡ଼ା ଶୁଣି ନଥିଲା: ଭାରତ

Published By : Prameya-News7 Bureau | October 17, 2024 IST

indiatoday

ନୂଆଦିଲ୍ଲୀ: ଯେଉଁ କାନାଡ଼ା ଆଜି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ହତ୍ୟା ଅଭିଯୋଗ ଆଣି ଭାରତକୁ ଘେରୁଛି, ଦିନେ ସେହି ଗ୍ୟାଙ୍ଗକୁ ପ୍ରତ୍ୟର୍ପଣ ପାଇଁ କାନାଡ଼ାକୁ ଅନୁରୋଧ କରିଥିଲା ଭାରତ। ହେଲେ କାନାଡ଼ା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି। 

ସାମ୍ବାଦିକ ସମ୍ମିଳନୀ କରି ରଣଧୀର କହିଛନ୍ତି ଆମେ ଗ୍ୟାଙ୍ଗ ସଦସ୍ୟର ନାଁ ଗୁରୁଜିତ ସିଂହ, ଗୁରଜିନ୍ଦର ସିଂହ, ଅର୍ଶଦୀପ ସିଂହ ଗିଲ, ଲଖବୀର ସିଂହ ଲାଣ୍ଡା, ଗୁରପ୍ରୀତ ସିଂହଙ୍କୁ ପ୍ରତ୍ୟର୍ପଣ ପାଇଁ କହିଥିଲୁ। କିଛି ବର୍ଷ ପୂର୍ବେ ଓ ଏବେ ଏବେ ତାଙ୍କୁ ପ୍ରୋଭିଜନାଲ ଭାବେ ଗିରଫ କରି ପ୍ରତ୍ୟର୍ପଣ କରିବାକୁ କହିଥିଲୁ। ହେଲେ କାନାଡ଼ା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ। ରଣଧୀର କହିଛନ୍ତି ଯେ ଭାରତ ଯେତେବେଳେ ବି ଭାରତ ବିରୋଧୀ ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା କହିଛି କାନାଡ଼ା ସେତେବେଳେ ବାକ୍ ସ୍ୱାଧୀନତା କଥା କହି କଥାକୁ ଅଗ୍ରାହ୍ୟ କରିଦେଇଛି। 

ଏପଟେ କାନାଡ଼ା ଭାରତକୁ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ୱୀପ ସିଂହ ନିଜ୍ଜର ହତ୍ୟାକାଣ୍ଡର ପ୍ରମାଣ ଦେଇଥିବା କହୁଥିବା ବେଳେ ଭାରତ କିନ୍ତୁ କାନାଡ଼ା ଦାବି ଖଣ୍ଡନ କରିଛି। କାନାଡ଼ା ଆତଙ୍କବାଦୀ ହରଦ୍ୱୀପ ସିଂହ ନିଜ୍ଜର ହତ୍ୟାକାଣ୍ଡର କୌଣସି ପ୍ରମାଣ ଦେଇ ନାହିଁ ବୋଲି ବୈଦେଶିକ ବ୍ୟାପାର ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି। 

ସୂଚନା ଥାଉକି କାନାଡ଼ା ପ୍ରଧାନମନ୍ତ୍ରୀ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ୱୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ବିଷ୍ଣୋଇ ଗ୍ୟାଙ୍କ ସାମିଲ ଥିବା ଅଭିଯୋଗ କରିଥିଲେ। ସେ ଆହୁରି କହିଥିଲେ ଯେ ଭାରତୀୟ ରାଷ୍ଟ୍ରଦୂତମାନେ କାନାଡ଼ା ନାଗରିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ବିଷ୍ଣୋଇ ଗ୍ୟାଙ୍ଗଙ୍କୁ ଦେଉଛନ୍ତି, ଆଉ ଗ୍ୟାଙ୍ଗ ହତ୍ୟା କରୁଛି। ତେବେ କାନାଡ଼ା କେବଳ ଗୋଇନ୍ଦା ତଥ୍ୟ ଦେଇଛି କୌଣସି ପ୍ରମାଣ ଦେଇ ନାହିଁ ବୋଲି ଟ୍ରୁ ଡୋ ସ୍ୱୀକାର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.