ଆସାମ: ଦିବୃଗଡ଼ ବିଜେପି ନେତା ନିଖୋଜ, ଉଲଫା-i ରେ ସାମିଲ ହୋଇଥିବା ନେଇ ଆଶଙ୍କା

Published By : Prameya-News7 Bureau | October 17, 2024 IST

ଦିବୃଗଡ଼ ୧୭।୧୦: ଅପର ଆସାମ ଦିବୃଗଡ଼ରୁ ଜନୈକ ସ୍ଥାନୀୟ ବିଜେପି ଯୁବ ନେତା ପାଖାପାଖି ୧୦ ଦିନ ହେଲା ଘରୁ ନିଖୋଜ ଅଛନ୍ତି। ତାଙ୍କ ପରିବାର ଗୁରୁବାର ଏହି ସୂଚନା ଦେଇଛନ୍ତି। ଦିବୃଗଡ଼ ଜିଲ୍ଲା ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟନ (ଏଏଏସୟୁ)ର ପୂର୍ବତନ ସଭାପତି ଲିଖନ ବରୁଆ ଲାହୋବାଲ ନିର୍ବାଚନମଣ୍ଡଳି ଅନ୍ତର୍ଗତ ତାଙ୍କର ରୋହମାରିୟା ବାସଭବନରୁ ନିଖୋଜ  ହୋଇ ଯାଇଛନ୍ତି। ଏବେ ଏ କଥାରୁ ଆଶଙ୍କା କରାଯାଉଛି ଯେ ସେ ନିଷିଦ୍ଧ ସଙ୍ଗଠନ ଉଲଫା-ଆଇରେ ସାମିଲ ହୋଇଥାଇ ପାରନ୍ତି। 

ତାଙ୍କୁ ଖୋଜିବା ପାଇଁ ପୋଲିସ ଓ ସୁରକ୍ଷା ବଳ ତଲାସୀ ଅଭିଯାନ ଚଳାଇଛନ୍ତି। ତେବେ ସେ ଉଲଫା-ଆଇରେ ମିଶିଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ନିଖୋଜ ହେବା ପୂର୍ବରୁ ବରୁଆ ତାଙ୍କ ମାଙ୍କ ଲାଗି ଏକ ୪ ପୃଷ୍ଠାର ଚିଠି ଛାଡି ଯାଇଛନ୍ତି। ତେବେ ସେ କେଉଁଆଡେ ଯାଇଛନ୍ତି ଓ କାହିଁକି ଯାଇଛନ୍ତି ସେ ନେଇ ଚିଠିରେ କୌଣସି ସୂଚନା ଦେଇ ନାହାନ୍ତି। ବରୁଆ ୨୦୨୧ ବିଧାନସଭା ନିର୍ବାଚନରେ ଲାହୋବାଲ ଆସନରୁ ପ୍ରାର୍ଥୀ ହୋଇଥିଲେ, ତେବେ ସେ ହାରି ଯାଇଥିଲା। 

ନିର୍ବାଚନରେ ହାରିବା ପରେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ନିଜକୁ ସାମିଲ କରିଥିଲେ। ଦିବୃଗଡ଼ ପୋଲିସ ଅଧିକ୍ଷକ ରାକେଶ ରେଡ୍ଡୀ ତାଙ୍କ ନିଖୋଜ ଅଭିଯୋଗ ଆମକୁ ମିଳିଥିବା କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଯାଞ୍ଚ ଆରମ୍ଭ ହୋଇଥିବା ସେ କହିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ବରୁଆଙ୍କୁ ନେଇ ଆମେ କୌଣସି ସଠିକ ସୂଚନା ଦେଇ ପାରିବୁ ନାହିଁ ବୋଲି ଅଧିକ୍ଷକ କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.