ନୂଆଦିଲ୍ଲୀ,୧୦/୧୨: ଖୋଲିଲା ବନ୍ଦ କୋଠରୀ, ଚମ୍ପଟ୍ ମାରିଲେ କଏଦୀ । ସିରିଆକୁ ବିଦ୍ରୋହୀ କବ୍ଜା କରିବା ଏବଂ ରାଷ୍ଟ୍ରପତି ବଶର ଅଲ୍-ଅସଦ କ୍ଷମତାଚ୍ୟୁତ ହେବା ପରେ ସାଦ୍ନାୟା ଜେଲ୍ରୁ ବନ୍ଦୀ ଚମ୍ପଟ ମାରିଛନ୍ତି । ‘ମଣିଷଙ୍କ କଂସେଇଖାନା’ ଭାବେ ଜଣା ରାଜଧାନୀ ଦାମାସ୍କସ ନିକଟରେ ଥିବା ଏହି ଜେଲ୍ର ସମସ୍ତ କଏଦୀଙ୍କୁ ବିଦ୍ରୋହୀ ମୁକ୍ତ କରିଦେଇଥିଲେ । କଏଦୀଙ୍କ ପରିବାର ଜେଲ୍ ଆଖପାଖରେ ନିଜ ସମ୍ପର୍କୀୟଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁସାରେ, ଏହି ଜେଲ୍ରେ ହଜାର ହଜାର ସଂଖ୍ୟାରେ ବନ୍ଦୀ ରହିଥିଲେ । ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଖବର ଶୁଣି ଖୁସିରେ ପରିବାର ଲୋକେ ନିଜ ସମ୍ପର୍କୀୟଙ୍କୁ ଘରକୁ ନେବା ପାଇଁ ଜେଲ୍ ଆଗରେ ଭିଡ଼ ଜମାଇଥିଲେ । ସେମାନେ ପାଟିକରି ସମ୍ପର୍କୀୟଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି । ଜେଲ୍ର ସୁରକ୍ଷାକର୍ମୀମାନେ ମଧ୍ୟ ନିଜ ନିଜ ପଦରୁ ଓହରି ଯାଇ ଗେଟ୍ ଖୋଲା ଛାଡ଼ିଦେଇଛନ୍ତି । କେବଳ ଗୋଟିଏ ଜେଲ୍ ନୁହେଁ ଦେଶସାରା ଅନେକ ଜେଲ୍ରେ ସୁରକ୍ଷାକର୍ମୀମାନେ ଏଭଳି ଗେଟ୍ ଖୋଲି ଦେଇଛନ୍ତି ।
ସୂଚନା ଅନୁସାରେ, ପ୍ରାୟ ୧ ଲକ୍ଷରୁ ଅଧିକ କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ଖୋଜିଛନ୍ତି । ଏହା ଭିତରେ ସିରିଆ ସରକାର କରିଥିବା ଗୁପ୍ତ ବନ୍ଦୀଖାନାଗୁଡ଼ିକର ଦୃଶ୍ୟ ମଧ୍ୟ ସେଠାକାର ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି । ସେଠାରେ କଏଦୀଙ୍କୁ ବେଶ୍ ଦୁର୍ବଳ ଅବସ୍ଥାରେ ଦେଖିବାକୁ ମିଳିଛି । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ମୁତାବକ, ସାଦନାୟା ଜେଲ୍ରେ ଏକଦା ୨୦ ହଜାର କଏଦୀଙ୍କୁ ଏକ ସଙ୍ଗରେ ଭର୍ତ୍ତି କରାଯାଉଥିଲା । ସେଠାରେ ଅନେକ ସମୟରେ ବହୁସଂଖ୍ୟକ ବନ୍ଦୀଙ୍କ ମୃତ୍ୟୁ ଘଟିଥାଏ । ସେମାନଙ୍କୁ ଜେଲ୍ ଭିତରେ ନିର୍ଯାତନା ଦିଆଯିବା ସହ ହତ୍ୟା କରାଯାଉଥିଲା । ତେଣୁ ଏହି ଜେଲ୍କୁ ମଣିଷଙ୍କ କଂସେଇଖାନା ଆଖ୍ୟା ଦିଆଯାଇଛି । ପ୍ରକାଶଥାଉ କି, ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର୍ ଅଲ୍-ଶାମ୍ ଅସଦ ସରକାର ବିରୋଧରେ ବିଦ୍ରୋହ କରିଛି । ଏଥିଯୋଗୁ ଅସଦ ରବିବାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ରୁଷ୍ ପଳାୟନ କରିଛନ୍ତି । ଦେଶକୁ ଦଖଲ କରିବା ପରେ ବିଦ୍ରୋହୀ ଅନେକ ଜେଲ୍ରୁ ଅସଦ ବନ୍ଦୀ ରଖିଥିବା କଏଦୀଙ୍କୁ ମୁକ୍ତ କରିଛନ୍ତି ।
ସେପଟେ ଜେଲ୍ ଭିତରେ ଥିବା ଅଣ୍ଡରଗ୍ରାଉଣ୍ଡ ସେଲ୍ରେ ଅନେକ ବନ୍ଦୀ ରହିଥିବା ନେଇ ଜେଲ୍ର କିଛି କର୍ମଚାରୀ ସୂଚନା ଦେବା ପରେ ସେଠାରେ ତଲାସୀ ଆରମ୍ଭ କରାଯାଇଛି । ଉଦ୍ଧାରକାରୀ ଦଳ ହ୍ୱାଇଟ୍ ହେଲମେଟ ପକ୍ଷରୁ ଏହାର ୫ଟି ସ୍ୱତନ୍ତ୍ର ଟିମ୍କୁ ସେଠାରେ ନିୟୋଜିତ କରାଯାଇଛି । ଏହି ଟିମ୍ରେ ଉଦ୍ଧାରକାରୀ ଦଳ ସମେତ କାନ୍ଥ ଭାଙ୍ଗିବା କର୍ମଚାରୀ, ଲୁହା ଗେଟ୍ ଖୋଲିବା ବିଶେଷଜ୍ଞ, ତାଲିମପ୍ରାପ୍ତ ଡଗ୍ ୟୁନିଟ୍ ଓ ମେଡିକାଲ ଦଳ ସାମିଲ ଅଛନ୍ତି । ଯେତେ କଠିନ ପରିସ୍ଥିତିରେ ରହିଥିଲେ ମଧ୍ୟ ବନ୍ଦୀମାନଙ୍କୁ ଏହି ଉଦ୍ଧାରକାରୀ ଟିମ୍ ବାହାରକୁ ବାହାର କରିପାରିବ । ଅପରାଧୀଙ୍କ ବ୍ୟତୀତ ଅସଦ୍ ସରକାର ବିରୋଧରେ ବିଦ୍ରୋହ କରୁଥିବା ରାଜନୈତିକ ବନ୍ଦୀମାନଙ୍କୁ ମଧ୍ୟ ଏହି ଜେଲ୍ରେ ରଖାଯାଉଥିଲା ।