୯୩ ହଜାର କୋଟି ଟଙ୍କା ସ୍ୱାହା...୧୦ ବର୍ଷରେ ପ୍ରଥମ ଥର ନେଗେଟିଭ୍ ରିଟର୍ଣ୍ଣ ଆଡ଼କୁ ବଢୁଛି ରିଲାଏନ୍ସ

Published By : Prameya-News7 Bureau | December 27, 2024 IST

ନୂଆଦିଲ୍ଲୀ: ରିଲାଏନ୍ସ ଉଦ୍ୟୋଗ ସମେତ ଅନେକ କମ୍ପାନିର ନିବେଶକଙ୍କ ପାଇଁ ଚଳିତ ବର୍ଷ ନିରାଶାଜନକ ରହିଛି । ଭାରତ ଏବଂ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧୦ ବର୍ଷରେ ପ୍ରଥମ ଥର ପାଇଁ ନେଗେଟିଭ୍ ରିଟର୍ଣ୍ଣ ଦେବାକୁ ଯାଉଛି । ଚଳିତ ବର୍ଷ ବିଏସଇ ୫୦୦ରେ ସାମିଲ ଅତି କମରେ ୨୭ କମ୍ପାନିର ମାର୍କେଟ୍ କ୍ୟାପ୍‌ରେ ଏକ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮,୫୦୦ କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଛି । ଏଥିରେ ରିଲାଏନ୍ସ ବ୍ୟତୀତ ଏସିଆନ ପେଣ୍ଟ୍ସ,ଏଚ୍‌ୟୁଏଲ୍, ଟାଇଟନ୍, ବଜାଜ ଫାଇନାନ୍ସ, ଆଦାନୀ ଗ୍ରୀନ୍ ଏନର୍ଜି ଏବଂ ଡିମାର୍ଟ ସାମିଲ ଅଛି । ମୂଲ୍ୟ ହିସାବରେ ଏସିଆନ୍ ପେଣ୍ଟ୍ସକୁ ସବୁଠୁ ଅଧିକ କ୍ଷତି ହୋଇଛି । ପ୍ରତିଶତ ହିସାବରେ ଜି ଏଣ୍ଟରଟେନ୍‌ମେଣ୍ଟକୁ ସବୁଠୁ ଅଧିକ କ୍ଷତି ହୋଇଛି । ଏହାର ସେୟାର ମୂଲ୍ୟରେ ପ୍ରାୟ ୫୪ ପ୍ରତିଶତ ହ୍ରାସ ଘଟିଛି ।

ଚଳିତ କ୍ୟାଲେଣ୍ଡର ବର୍ଷରେ ଏସିଆନ୍ ପେଣ୍ଟ୍ସର ମାର୍କେଟ୍ କ୍ୟାପ୍ ସବୁଠୁ ଅଧିକ ହ୍ରାସ ପାଇଛି । ଦେଶର ସବୁଠୁ ବଡ଼ ଡେକୋରେଟିଭ ପେଣ୍ଟ୍ସ କମ୍ପାନିର ସେୟାର ମୂଲ୍ୟ ଏବେ ସୁଦ୍ଧା ୩୩ ପ୍ରତିଶତ ହ୍ରାସ ପାଇଛି । କମ୍ପାନିର ମାର୍କେଟ୍ କ୍ୟାପରେ ୧.୦୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି । ଦୁର୍ବଳ ଚାହିଦା ଏବଂ ମାର୍ଜିନ ଚାପ ଯୋଗୁଁ କମ୍ପାନି ସଂଘର୍ଷ କରୁଛି । ଏହାସହ ଜେଏସଡବ୍ଲୁ ଏବଂ ବିର୍ଲା ଗ୍ରୁପ୍ ସହ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିବାକୁ ପଡ଼ୁଛି ।

ଭାରତ ଏବଂ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ୧୦ ବର୍ଷରେ ପ୍ରଥମ ଥର ପାଇଁ ନେଗେଟିଭ୍ ରିଟର୍ଣ୍ଣ ଆଡ଼କୁ ବଢୁଛି । ରିଲାଏନ୍ସର ସେୟାର ଚଳିତ ବର୍ଷ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । କମ୍ପାନିର ମାର୍କେଟ୍ କ୍ୟାପ୍ ୯୩ ହଜାର କୋଟି ହ୍ରାସ ପାଇ ପ୍ରାୟ ୧୬.୫ ଲକ୍ଷ କୋଟି ଟଙ୍କା ହୋଇଛି । ତେବେ ମାର୍କେଟ୍ କ୍ୟାପ୍ ହିସାବରେ ଏବେ ବି ଦେଶର ସବୁଠୁ ବଡ଼ କମ୍ପାନି ହୋଇ ରହିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.