ପାନୀୟ ଜଳ ପାଇଁ ଦିଲ୍ଲୀରେ ମାର୍‌ପିଟ୍‌, ତିନି ଆହତ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍କଟ ଜଳ ସମସ୍ୟା ଏବେ ଜୀବନ ମରଣର କାରଣ ପାଲଟିବାରେ ଲାଗିଛି। ଦ୍ବାରକାରେ ପାଣି ପାଇଁ ମାରପିଟ୍‌ ଭଳି ଘଟଣା ଦେଖିବାକୁ ମିଳିଛି। ଏହି ମାରପିଟ୍‌ରେ ତିନି ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ ଏନେଇ ସୂଚନା ଦେଇଛନ୍ତି। 

ଏହି ମାରପିଟ୍‌ରେ ତିନି ଆହତଙ୍କୁ ଇନ୍ଦିରା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାରପିଟ୍‌କୁ ନେଇ ଦୁଇ ପକ୍ଷଙ୍କ ଅଭିଯୋଗ ପରେ ୨ଟି କେସ୍‌ ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ପକ୍ଷଙ୍କ ବୟାନ ଆଧାରରେ ଯାଞ୍ଚ ଜାରି ଚାଲିଛି। 

ସୂଚନାଥାଉକି, ପ୍ରବଳ ଗରମ ମଧ୍ୟରେ ଦିଲ୍ଲୀରେ ଜଳ ସମସ୍ୟା ଲାଗିରହିଛି। ଜଳ ସଙ୍କଟ ରାଜନୀତିକ ବୟାନବାଜି ମଧ୍ୟ ଜାରି ରହିଛି। ଆପ୍‌ ନେତା ଏବଂ ଦିଲ୍ଲୀ ଜଳ ମନ୍ତ୍ରୀ ଅଭିଯୋଗ  ଆଣିଛନ୍ତି ଯେ, ଷଡ଼ଯନ୍ତ୍ର ଅନୁଯାୟୀ,  ଦିଲ୍ଲୀର ପାଇପଲାଇନକୁ ଲିକ୍‌ କରିଦିଆଯାଇଛି ଯେମିତି ଲୋକଙ୍କୁ ପାଣି ନମିଳିବ। ସେ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏହାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ସେହିଭଳି ଆଉ ଜଣେ ମନ୍ତ୍ରୀ ସୌରଭ ଭରଦ୍ବାଜ ପ୍ରଶ୍ନ କରିଛନ୍ତି ଯେ, ପାଇପ୍‌ଲାଇନ୍‌ କିଏ ନଷ୍ଟ କରୁଛି ତାହାର ଯାଞ୍ଚ ହେବା ଦରକାର।

ଏପଟେ ଜଳ ସମସ୍ୟାକୁ ନେଇ ଚିନ୍ତିତ ଲୋକ ଛତରପୁର ସ୍ଥିତ ଦିଲ୍ଲୀ ଜଳ ବୋର୍ଡର କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ବିଜେପି ନେତା ରମେଶା ବିଧୂଡ଼ି ଦିଲ୍ଲୀ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି ଏବଂ ଭ୍ରଷ୍ଟ ସରକାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.