ରୋହିତ-କୋହଲି ପୁଣି ଫେଲ୍...ମେଲବର୍ଣ୍ଣ ଟେଷ୍ଟରେ ଦୁର୍ବଳ ସ୍ଥିତିରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | December 30, 2024 IST

ମେଲବର୍ଣ୍ଣ: ବକ୍ସିଂ ଡେ’ରେ ଟିମ୍ ଇଣ୍ଡିଆର ସ୍ଥିତି ଦୁର୍ବଳ । ଟିମ୍ ଇଣ୍ଡିଆ ଉପରେ ପରାଜୟର କଳାବାଦଲ । ଟିମ୍ ଇଣ୍ଡିଆର ଏଭଳି ସ୍ଥିତି ପାଇଁ ଦଳର ଦୁଇ ଅନୁଭବୀ ଖେଳାଳି ରୋହିତ ଏବଂ ବିରାଟଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଦାୟୀ । ୩୪୦ ରନର ବଡ଼ ଲକ୍ଷ୍ୟ ପିଛା କରୁଥିବା ଟିମ୍ ଇଣ୍ଡିଆର ଏହି ଦୁଇ ସିନିୟର ବ୍ୟାଟର ଶସ୍ତାରେ ଆଉଟ୍ ହୋଇ ଫେରିଛନ୍ତି । ଦୁହେଁ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନାହାନ୍ତି । 

ଟିମ୍ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମା ନିଜର ଶେଷ ୪ ଇନିଂସରେ ମିଡିଲ୍ ଅର୍ଡରରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । କିନ୍ତୁ ବ୍ୟାଟରୁ ରନ୍ ନନବାହାରିବାରୁ ମେଲବର୍ଣ୍ଣରେ ଓପନିଂ କରିଥିଲେ । ତେବେ ଏହାପରେ ବି ତାଙ୍କ ପ୍ରଦର୍ଶନରେ କୌଣସି ସୁଧାର ଆସି ନାହିଁ । ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ପାଳିରେ ୫ ବଲରେ ୩ ରନ୍ କରିଥିବା ରୋହିତ ଶର୍ମା ଦ୍ୱିତୀୟ ଇନିଂସରେ ୪୦ ବଲ ଖେଳି କେବଳ ୯ ରନ୍ କରିବାରେ ସକ୍ଷମ ହେଲେ । ୩୪୦ ରନ୍ ଟାର୍ଗେଟ୍ ପିଛା କରୁଥିବା ରୋହିତଙ୍କ ଆଉଟ୍ ହେବା ଟିମ୍ ଇଣ୍ଡିଆ ପାଇଁ ଥିଲା ପ୍ରଥମ ଝଟକା ।

ରୋହିତ ଶର୍ମାଙ୍କ ପରି ବିରାଟ ମଧ୍ୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନ ଭାଙ୍ଗିଛନ୍ତି । ବିରାଟ କୋହଲିଙ୍କୁ ଏକ ଆଶାର କିରଣ ଭାବେ ଦେଖାଯାଉଥିଲା, କିନ୍ତୁ ସେ ମଧ୍ୟ ଶେଷ ଆଶାକୁ ଭାଙ୍ଗିଗଲା । ଆଜିର ମ୍ୟାଚ୍ ଜିତିବା ପାଇଁ କୋହିଲଙ୍କ ଠାରୁ ଏକ ବିରାଟ ଇନିଂସ ଆଶା କରାଯାଉଥିଲା । କିନ୍ତୁ ସେ କେବଳ ୫ ରନ୍ କରି ପାଭେଲିୟନ ଫେରିଛନ୍ତି ।

ରୋହିତ-ବିରାଟ ଶସ୍ତାରେ ଆଉଟ୍ ହୋଇ ଫେରିବା ପରେ ମେଲବର୍ଣ୍ଣ ଟେଷ୍ଟରେ ଟିମ୍ ଇଣ୍ଡିଆ ଉପରେ ପରାଜୟର କଳାବାଦଲ ଛାଇଯାଇଛି । ଏହାସହ ୱାର୍ଲଡ ଟେଷ୍ଟ ଚାମ୍ପିଅନଶିପରେ ଫାଇନାଲରେ ପହଞ୍ଚିବା ଉପରେ ମଧ୍ୟ ଆଶଂକା ସୃଷ୍ଟି ହୋଇଛି । ଡବ୍ଲୁଟିସି ଫାଇନାଲକୁ ଯିବା ପାଇଁ ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟ ଜିତିବା ଭାରତ ପାଇଁ ଜରୁରୀ ଥିଲା । ଯଦି ମେଲବର୍ଣ୍ଣ ଟେଷ୍ଟରେ ବିଜୟ ନମିଳେ ତେବେ ସିଡନୀ ମ୍ୟାଚ୍ ଜିତିବା ସହ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ଟେଷ୍ଟର ପରିଣାମକୁ ଅପେକ୍ଷା କରିବାକୁ ପଡ଼ିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.