ନୂଆଦିଲ୍ଲୀ: ଭାରତୀୟ ଦଳର ଖେଳାଳି ଲମ୍ବା ବିରତି ପରେ ପୁଣି ଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ। ବାଂଲାଦେଶ ବିପକ୍ଷ ସେପ୍ଟେମ୍ବର ୧୯ ତାରିଖରୁ ଟେଷ୍ଟ ସିରିଜ୍ ଖେଳିବ ଭାରତ। ଏଥିପାଇଁ ଆସନ୍ତା ସପ୍ତାହରେ ଦଳ ଘୋଷଣା ହୋଇପାରେ। ଭାରତୀୟ ଦଳର ଆଗାମୀ କିଛି ମାସର କାର୍ଯ୍ୟସୂଚୀ ବ୍ୟସ୍ତବହୁଳ ରହିଛି। ଦଳ ବାଂଲାଦେଶ ସିରିଜ୍ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ବାଂଲାଦେଶ ବିପକ୍ଷ ସିରିଜ୍ରେ ବଡ଼ ଉପଲବ୍ଧି ହାସଲ କରିବାର ସୁଯୋଗ ରହିଛି।
Also read: ବାଂଲାଦେଶ ଟେଷ୍ଟ ପୂର୍ବରୁ ଆକ୍ସନ ମୋଡରେ ରୋହିତ ଶର୍ମା, ଜିମ୍ରେ ବୁହାଉଛନ୍ତି ଝାଳ
ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଏହା ପରେ ଦଳକୁ ବଡ଼ ବଡ଼ ଟିମ୍ ସହ ମ୍ୟାଚ୍ ଖେଳିବାକୁ ପଡ଼ିବ।ଦଳକୁ କଡ଼ା ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ରୋହିତ ଶର୍ମାଙ୍କ ଉପରେ ସଭିଙ୍କ ନଜର ରହିବ। ଏହି ଟେଷ୍ଟ ସିରିଜ୍ରେ ରୋହିତ ଶର୍ମା ଯଦି ଗୋଟିଏ ଶତକ ହାସଲ କରନ୍ତି ତେବେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରେ ସର୍ବାଧିକ ଶତକ ଅର୍ଜନକାରୀ ବ୍ୟାଟର ଭାବେ ଷ୍ଟିଭ ସ୍ମିଥଙ୍କୁ ପଛରେ ପକାଇ ଦେବେ। ରୋହିତ ଡବ୍ଲ୍ୟୁଟିସିରେ ୯ ଶତକ ଅର୍ଜନ କରି ସାରିଛନ୍ତି। ଆଉ ଗୋଟିଏ ଶତକ ହାସଲ କଲେ ଶତକ ସଂଖ୍ୟା ୧୦କୁ ବୃଦ୍ଧି ପାଇବ। ଡବ୍ଲ୍ୟୁଟିସିରେ ଜୋ ରୁଟ୍ ସବୁଠୁ ଅଧିକ ଶତକ(୧୬) ଅର୍ଜନ କରିଛନ୍ତି। ମାର୍ନସ ଲାବୁସେନ ୧୧ ଓ କେନ ଓ୍ଵିଲିୟମସନ ୧୦ ଶତକ ମାରିଛନ୍ତି।
ରୋହିତ ଶର୍ମା ପ୍ରଥମରୁ ହିଁ ଡବ୍ଲ୍ୟୁଟିସିରେ ଭାରତୀୟଙ୍କ ପକ୍ଷରୁ ସର୍ବାଧିକ ଶତକ ହାସଲ କରିଛନ୍ତି। ଦ୍ଵିତୀୟରେ ଅଛନ୍ତି ମୟଙ୍କ ଅଗ୍ରଓ୍ଵାଲ ଓ ବିରାଟ କୋହଲି। ଦୁଇ ବ୍ୟାଟର ୪ଟି ଲେଖାଏଁ ଶତକ ହାସଲ କରିଛନ୍ତି। ଉଲ୍ଲେଖନୀୟ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ସେପ୍ଟେମ୍ବର ୨୩ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପୁଣି ଦ୍ଵିତୀୟ ଟେଷ୍ଟ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ଡବ୍ଲ୍ୟୁଟିସିରେ ସର୍ବାଧିକ ଶତକ
ଜୋ ରୁଟ୍- ୧୬
ମାର୍ନସ ଲାବୁସେନ- ୧୧
କେନ ଓ୍ଵିଲିୟମସନ- ୧୦
ଷ୍ଟିଭ୍ ସ୍ମିଥ- ୯
ରୋହିତ ଶର୍ମା- ୯