୧୦ ବର୍ଷ ପରେ ଜତିଲା ଟିମ୍‌ ଇଣ୍ଡିଆ, ଖୁସିରେ କାନ୍ଦିଲେ କ୍ୟାପ୍‌ଟେନ୍

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ ୨୮/୦୬: ଟି-ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲରେ ଭାରତ । ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ମେନ୍ ଇନ୍ ବ୍ଲୁ । ପ୍ରେଭିଡେନ୍ସରେ ସ୍ପିନ୍ ମ୍ୟାଜିକ୍ । ଅକ୍ଷର ଓ କୁଲଦୀପଙ୍କ ଓ୍ବିକେଟ୍ ଭୋଜି । ଫାଇନାଲରେ ଧସେଇ ପସିଲା ଭାରତ । ବ୍ୟାଟିଂରେ ଦମ୍ ଦେଖାଇଲେ ରୋହିତ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ । ବୋଲିଂରେ ଘାଇଲା କଲେ କୁଳଦୀପ ଓ ଅକ୍ଷର । 

ଫଳରେ ଟାର୍ଗେଟ ପୂରା କରି ପାରିନଥିଲା ଇଂଲିଶ ବାହିନୀ। ଭାରତ ଦେଇଥିବା ୧୭୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୧୦୩ ରନରେ ଅଲଆଉଟ୍ ହୋଇଥିଲା ଟିମ୍ ବଟଲର୍‌ । କୁଳଦୀପ ଯାଦବ ଓ ଅକ୍ଷୟ ପଟେଲଙ୍କ ଯାଦୁଗରୀ ସ୍ପିନରେ ତାସ ପତ୍ତା ପରି ଭୁଶୁଡିଥିଲା ଇଂଲଣ୍ଡର ବ୍ୟାଟିଂ ଅର୍ଡର । ଦୁହେଁ ନେଇଥିଲେ ୩ଟି ଲେଖାଏ ୱିକେଟ । ବୁମରାଙ୍କୁ ମିଳିଛି ୨ଟି ୱିକେଟ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପଟେନ୍ ଜୋସ୍ ବଟଲର। 

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ କରିଥିଲା ୧୭୧ ରନ୍ । ରୋହିତ ଶର୍ମାଙ୍କ ୩୯ ବଲରେ ୨ଟି ଛକା ଓ ୬ଟି ଚୌକା ବଳରେ କରିଥିଲେ ୫୭ ରନ୍। ସେହିପରି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟକୁମାର ୩୬ ବଲରୁ ୪୭ ଓ ପାଣ୍ଡ୍ୟା ୧୩ ବଲରେ ପିଟିଥିଲେ ୨୩ ରନ୍। ଏହି ବିଜୟ ସହ ଇଂଲଣ୍ଡଠାରୁ ୨୦୨୨ ଟି-ଟ୍ବେଣ୍ଟି ୱାର୍ଲଡ କପ୍ ସେମିଫାଇନାଲ୍ ପରାଜୟର ବଦଲା ନେଇଛି ରୋହିତ ବାହିନୀ । ସେହିପରି ୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା । 


ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା। ଏପର୍ଯ୍ୟନ୍ତ ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଅପରାଜେୟ ରହିଛି। ବିଶ୍ବବିଜେତା ହେବାଠାରୁ ଆଉମାତ୍ର ପାଦେ ଦୂରରେ ରହିଛି ମେନ୍ ଇନ୍ ବ୍ଲୁ। ତେବେ ଏହି ବିଜୟ ପରେ ଖୁସିରେ କାନ୍ଦିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ଯାହାକି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.