ନୂଆଦିଲ୍ଲୀ: ଆଉ ଦୁନିଆରେ ନାହାନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଇରିସ ଅଭିନେତା ରେ ଷ୍ଟିଭେନସନ। ୫୮ ବର୍ଷ ବସୟସରେ ତାଙ୍କର ପରଲୋକ ଘଟିଛି। ତେବେ ତାଙ୍କ ଦେହାନ୍ତର କାରଣ ସ୍ପଷ୍ଟ ହୋଇ ନାହିଁ।
୧୯୬୪ ମେ ୨୫ରେ ଲିସବନରେ ଜନ୍ମିତ ଷ୍ଟିଭେନସନ ପରିବାରର ତିନି ଭାଇଙ୍କ ମଧ୍ୟରୁ ଦ୍ଵିତୀୟ ଥିଲେ। ସେ ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ। ୨୯ ବର୍ଷ ବୟସରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ତା ପରଠୁ ସିନେମା ଓ ଟିଭି ଶୋ ଗୁଡ଼ିକରେ ନିୟମିତ ଅଭିନୟ କରି ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।
୧୯୯୮ରେ ଫିଲ୍ମ 'ଦ ଥିଓରୀ ଅଫ ଫ୍ଲାଇଟ୍' ତାଙ୍କୁ ହଲିଉଡରେ ନୂତନ ପରିଚୟ ଦେଇଥିଲା। ତେବେ ଚଳଚ୍ଚିତ୍ର 'ପୁନିସର'ରେ ନିଜର ଅଭିନୟରେ ସ୍ଵତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା। ସେ ଓ୍ଵାର ଜୋନ୍, ଭୋଲ୍ସଟ୍ୟାଗ୍, ଆରଆରଆର, କିଲ୍ ଦ ଇରିସମ୍ୟାନ, ଗିବ୍ ଗ୍ୟାମ୍, ଦ ଟ୍ରାନ୍ସପୋର୍ଟର ରିଫ୍ୟୁଲ୍ଡ, କୋଲ୍ଡ ସ୍କିନ, ଦି ବୁକ୍ ଅଫ ଇଲି, ଦି ଥ୍ରୀ ମୁସ୍କେଟର୍ସ, ମେମୋରୀ ଆଦି ମୋଟ୍ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।
ତେବେ ଆରଆରଆର ଫିଲ୍ମରେ ଅଭିନୟ ପରେ ଷ୍ଟିଭେନସନଙ୍କ ଶେଷ ହଲିଉଡ ଫିଲ୍ମ 'ଆକ୍ସିଡେଣ୍ଟ ମ୍ୟାନ୍: ହିଟ୍ମ୍ୟାନ ହୋଲିଡେ' ଥିଲା। କେବଳ ଏତିକି ନୁହେଁ ତାଙ୍କୁ HBO ଏବଂ ବିବିସି ରୋମର ସମସ୍ତ ୨୨ ଏପିସୋଡରେ ଦେଖିବାକୁ ମିଳିଥିଲା। ସେ ନିକଟରେ ଫିଲ୍ମ ୧୨୪୨ରେ କେଭିନ ସ୍ପେସିଙ୍କ ସ୍ଥାନ ନେବା ପାଇଁ ଚୁକ୍ତି କରିଥିଲେ। ତେବେ ତା ପୂର୍ବରୁ ସେ ଆରପାରିକୁ ଚାଲି ଯାଇଛନ୍ତି।