ୟୁକ୍ରେନ ଉପରେ ରୁଷର ବଡ଼ ଧରଣର ଡ୍ରୋନ ଆକ୍ରମଣ

Published By : Prameya-News7 Bureau | September 07, 2024 IST

aljazeera

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଉଭୟ ଦେଶ ପରସ୍ପର ଉପରକୁ ମିସାଇଲ ଓ ରକେଟ୍ ମାଡ଼ କରି ଚାଲିଛନ୍ତି। ଆଉ ଉଭୟ ପକ୍ଷରୁ ବ୍ୟାପକ କ୍ଷୟକ୍ଷତି ଘଟି ଚାଲିଛି। ଏହା ମଧ୍ୟରେ ୟୁକ୍ରେନର ବାୟୁସେନା ଦାବି କରିଛି ଯେ, ରୁଷ ଦ୍ଵାରା  ଆକାଶ ମାର୍ଗରୁ ହୋଇଥିବା ବଡ଼ ଧରଣର  ଆକ୍ରମଣକୁ ତାରି ସେନା ବିଫଳ କରି ଦେଇଛନ୍ତି। ରାତି ସାରା ରୁଷ ଦ୍ଵାରା ନିକ୍ଷେପ ୬୭ ଡ୍ରୋନ ମଧ୍ୟରୁ ୫୮ ଡ୍ରୋନକୁ ମାରି ଖସାଇ ଦିଆଯାଇଛି। 

ଶନିବାର ଟେଲିଗ୍ରାମ ମେସେଜିଙ୍ଗ ଆପ୍‌ରେ ଏକ ବୟାନରେ ୟୁକ୍ରେନ ଅଧିକାରୀ ବେରଖୋଭନା ରାଡା କହିଛନ୍ତି, ରାଜଧାନୀ କିଭରେ ୟୁକ୍ରେନର ସଂସଦ ଭବନ ନିକଟରେ ଏକ ଡ୍ରୋନର ଅଂଶ ବିଶେଷ ମିଳିଛି। ୟୁକ୍ରେନର ବାୟୁସେନା କହିଛି, ଦେଶର ୧୧ ଅଞ୍ଚଳରେ ବାୟୁ ପ୍ରତିରକ୍ଷା ୟୁନିଟ୍‌କୁ ରୁଷକୁ ଉଚିତ୍ ଜବାବ ଦେବା ପାଇଁ ମୁତୟନ କରାଯାଇଛି। ରୁଷର ଦୁଇ ସୀମାବର୍ତ୍ତୀ ଅଞ୍ଚଳ ସହିତ ରୁଷ ଅଧିକୃତ କ୍ରିମିଆ ଉପଦ୍ଵୀପରୁ ମିସାଇଲ୍ ଲଞ୍ଚ୍ କରାଯାଇଥିଲା। ଏହି ଆକ୍ରମଣରେ କୌଣସି ପ୍ରକାରର ମୃତାହତର ଖବର ନାହିଁ  ବୋଲି ୟୁକ୍ରେନର ବାୟୁସେନା  ଦାବି କରିଛି।

ଆସୋସିଏଟେଡ ପ୍ରେସ ଓ ରୟଟର୍ସ ସମାଚାର ଏଜେନ୍ସି ଅନୁଯାୟୀ, ସଂସଦ ଭବନ ବାହାର ରାସ୍ତାରେ ଗୋଟିଏ ଡ୍ରୋନର ଅଂଶ ମିଳିଛି। ଏକ ସପ୍ତାହ ଧରି ଚାଲିଥିବା ଦୀର୍ଘ ସମୟ ଯୁଦ୍ଧ ପରେ ରୁଷ ଦ୍ଵାରା ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏଥିରେ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୮ ଜଣ ଆହତ ହୋଇଥିଲେ। ନାଟୋ ସଦସ୍ୟ ପୋଲାଣ୍ଡ ସୀମା ନିକଟସ୍ଥ ଲଭିଭରେ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ମାଆ ଓ ଏହାର ତିନି ଝିଅ ସହିତ ସାତ ଜଣଙ୍କ ମୃତ୍ୟୁ ଘଟିଛି। 

ୟୁକ୍ରେନ ସେନା ମଧ୍ୟ ରୁଷ ବିରୋଧରେ ନିଜର ଆକ୍ରମଣ ଜାରି ରଖିଛି। ରୁଷ ସୀମା ସଂଲଗ୍ନ ଭୋରୋନିଶରେ ଗଭର୍ଣ୍ଣର ଆଲେଜାଣ୍ଡାର ଗୁସେଭ କହିଛନ୍ତି, ଶନିବାର ଡ୍ରୋନ ଆକ୍ରମଣ ଦ୍ଵାରା ନିଆଁ ଲାଗିଛି। ଏପରିକି ବିସ୍ଫୋରକ ବସ୍ତୁରେ ଡ୍ରୋନ ପଡ଼ିବାରୁ ବଡ଼ ଧରଣର ବିସ୍ଫୋରଣ ହୋଇଛି। ସ୍ଥାନୀୟ ଅଷ୍ଟ୍ରୋଗୋଜସ୍କି ଜିଲ୍ଲାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଗାଁକୁ ଖାଲି କରାଯାଇଛି ବୋଲି ରୁଷ ପକ୍ଷରୁ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.