ସାଲେପୁର ୨୮।୧: ବିଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ମୃତ ଶରୀର ଫେରାଇବାକୁ ସରକାରଙ୍କୁ ନିବେଦନ । ସାଲେପୁରର ଯୁବକ ବିଦେଶରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି । ପରିବାର ପକ୍ଷରୁ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ନିକଟରେ ହତ୍ୟା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଗୋତରା କାହ୍ନୁପୁର ଗ୍ରାମର ନେତ୍ରାନନ୍ଦ ସ୍ୱାଇଁଙ୍କ ପୁତ୍ର ବଳରାମ ସ୍ୱାଇଁଙ୍କର ବିଦେଶରେ ମୃତ୍ୟୁ ହୋଇଛି । ନେତ୍ରାନନ୍ଦଙ୍କ ଦୁଇ ଝିଅରେ ଗୋଟିଏ ପୁଅ । ଦୁଇ ଝିଅ ବିବାହ ପରେ ଏକମାତ୍ର ପୁଅର ରୋଜଗାର ଉପରେ ବାପା-ମା’ ନିର୍ଭର କରୁଥିଲେ । ତେବେ ପୁଅର ମୃତ୍ୟୁ ଖବର ପାଇ ବାପା-ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
୫ ବର୍ଷ ହେବ ଭିଏତନାମର 'SALAMAN' ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ କିଛି ଦିନ ତଳେ ଘରକୁ ଆସିଥିଲେ । ଗତ ଅକ୍ଟୋବର ୧୮ ତାରିଖରେ ଯାଇ କମ୍ପାନୀ କାମରେ ଯୋଗ ଦେଇଥିଲେ । ହେଲେ ତାଙ୍କ ଘରକୁ ଜାନୁଆରୀ ୨୭ ତାରିଖରେ ଓଡ଼ିଆ ଶ୍ରମିକ ଏକ ଫୋନ୍ କଲ୍ କରିଥିଲେ । ଓଡ଼ିଆ ଶ୍ରମିକ ରହୁଥିବା ଘରେ ବଳରାମ ମଧ୍ୟ ରହୁଥିଲେ । ଓଡ଼ିଆ ଶ୍ରମିକ ଜଣକ କାର୍ଯ୍ୟରୁ ଫେରି ଦେଖିଲେ ବଳରାମଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତଚିହ୍ନ ରହିଥିଲା । ବଳରାମଙ୍କ ମୃତଦେହ ବାରଣ୍ଡାରେ ଝୁଲୁଥିଲା । ଭିଏତନାମର କିଛି ଅସାମାଜିକ ବ୍ୟକ୍ତି ବଳରାମକୁ ମାରି ଟଙ୍ଗାଇ ଦେଇଥିବା ନେଇ ବଳରାମଙ୍କ ଘରକୁ ଖବର ଦେଇଥିଲେ । ଭିଏତନାମର ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇଥିବାର ସୂଚନା ମିଳିଛି । ନିଜ ପୁଅର ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବାକୁ ତାଙ୍କ ବାପା ଦାବି କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍ପି ଓ ରାଜ୍ୟ ସରକାରଙ୍କ ନିକଟରେ ମୃତ ବଳରାମଙ୍କ ବାପା ଦାବି କରିଛନ୍ତି ।
You Can Read: