ଭୁବନେଶ୍ୱର ୧୯।୦୫ : ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ । ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ । ରବିବାର ବାର ଦିନ ସକାଳୁ ସକାଳୁ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ସମୀର ଦାଶ ।
ଖବର ଅନୁଯାୟୀ, ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ସମୀର ରଞ୍ଜନ ଦାଶ । ବିଜୁ ଜନତା ଦଳ ଟିକେଟ୍ରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ୨୦୦୯, ପରେ ୨୦୧୪, ଆଉ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ରଞ୍ଜନ ଦାସଙ୍କ ଟିକେଟ୍ କାଟିଥିଲା ବିଜେଡି । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି । ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିବା ଜଣାପଡିଥିଲା ।
ଆଉ ଏବେ ସବୁ ଚର୍ଚ୍ଚାରେ ହୋଇଛି ଅନ୍ତ । ତିନି ଦଶନ୍ଧୀ ଧରି ବିଜୁ ଜନତା ଦଳ ସହିତ ଥିବା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଏବେ ଛାଡିଛନ୍ତି ଦଳ । ବିଜେଡିକୁ କହିଛନ୍ତି ବାଏ ବାଏ । ଆଉ ବିଜେପିରେ ହୋଇଛନ୍ତି ସାମିଲ । ବିଜେପି ଦଳୀୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବହୁ ବରିଷ୍ଠ ବିଜେପି ନେତା ସାମିଲ ଥିଲେ ।