କଟକ ୨୬।୧: ସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପରେଡ ଗ୍ରାଉଣ୍ଡକୁ ଯିବାବେଳେ ପିକଅପ୍ ଭ୍ୟାନ୍ ଓଲଟି ଜଣେ ଛାତ୍ରଙ୍କ ମୃତ୍ୟୁ । ୨୦ରୁ ଅଧିକ ଆହତ ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସାଲିନୀ ପଣ୍ଡିତ ଆହତ ମାନଙ୍କୁ ଏସ୍ସିବି ମେଡିକାଲରେ ଭେଟିଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର ସହାୟତା ଘୋଷଣା କରାଯାଇଛି । ଏଥିସହ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ ଘଟଣାର ତଦନ୍ତ କରିବେ ।
ସୂଚନାଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନ୍ରେ ସରଣ୍ଡା ବିଦ୍ୟାପୀଠକୁ ପରେଡ ପାଇଁ ଯାଉଥିବା ବେଳେ ନଟିଆବର ନିକଟରେ ଭ୍ୟାନଟି ଓଲଟି ପଡିଥିଲା । ପିକ୍ଅପ୍ ଭ୍ୟାନ୍ରେ ଥିବା ପିଲା ମାନଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ଯାଉଥିବା ବେଳେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଷ୍ଟମର୍ଟମ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ଅଣାଯାଇଛି ।
ଆଠଗଡ଼ ଡ଼ାକ୍ତରଖାନାରେ ଆଠଗଡ଼ ଉପ ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ବାଇଁ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
You Can Read:
ପିକ୍ଅପ୍ ଓଲଟି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ, ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ପ୍ରକ୍ରିୟା