ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଚୟନ ପାଇଁ କେନ୍ଦ୍ର ସରକାର ଏକ ସର୍ଚ୍ଚ କମିଟି ଗଠନ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି କମିଟିର ଅଧ୍ୟକ୍ଷତା କରିବେ । କେନ୍ଦ୍ରମନ୍ତ୍ରୀ ମେଘୱାଲଙ୍କ ସମେତ ଅର୍ଥ ମନ୍ତ୍ରଣାଳୟ ଓ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ସଚିବ ବି ସଦସ୍ୟ ରହିବେ ।
ପୂର୍ବରୁ ପ୍ରଚଳିତ ନିୟମ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଅବସର ନେବା ପରେ, ବରିଷ୍ଠ ନିର୍ବାଚନ କମିଶନରଙ୍କୁ ସିଇସି ପଦରେ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଗତ ବର୍ଷ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ ନୂଆ ଆଇନ ଲାଗୁ କରାଯାଇଥିଲା । ଏହା ଅନୁସାରେ ଏକ ସର୍ଚ୍ଚ କମିଟି ପାଞ୍ଚ ସଚିବ ସ୍ତରର ଅଧିକାରୀଙ୍କ ନାଁ ଚୟନ କରିବ । ପରେ ଏମାନଙ୍କୁ ସିଇସି ଏବଂ ଇସି ରୂପେ ନିଯୁକ୍ତି କରିବା ପାଇଁ ବିଚାର କରାଯିବ । ସିଇସି ରାଜୀବ କୁମାର ଫେବ୍ରୁଆରୀ ୧୮ରେ ୬୫ ବର୍ଷ ବୟସ ପୂରଣ ହେବା ପରେ ପଦରୁ ଅବସର ଗ୍ରହଣ କରିବେ ।
ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ ଆୟୁକ୍ତ (ନିଯୁକ୍ତି, ସେବା ସର୍ତ୍ତ ଏବଂ କାର୍ଯ୍ୟକାଳ) ଅଧିନିୟମ, ୨୦୨୩ ଅନୁସାରେ ପ୍ରଥମ ଥର ସିଇସି ନିଯୁକ୍ତି କରାଯିବ । ଏହି ଅଧିନିୟମରେ ଗତ ବର୍ଷ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଏସ୍.ଏସ୍.ସନ୍ଧୁଙ୍କ ନିଯୁକ୍ତି କରାଯାଇଥିଲା । ଏହି ଆଇନ ଅନୁସାରେ ସିଇସି ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଚୟନ କମିଟିର ସୁପାରିଶ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବ । ଚୟନ କମିଟିରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସଭାର ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀ ଦ୍ୱାରା ନାମିତ ଜଣେ କେନ୍ଦ୍ରମନ୍ତ୍ରୀ ରହିବେ ।